ବାତ୍ୟା ନ ହେବା ପାଇଁ ମା’ଙ୍କୁ ପୂଜାର୍ଚ୍ଚନା

ବ୍ରହ୍ମଗିରି,୬।୧୧(ଡି.ଏନ.ଏ):ଫନୀର ଭୟାବହ ରୂପ ମନରୁ ନ ଲିଭୁଣୁ ପୁଣି ଏକ ବାତ୍ୟା ଖବର ଶୁଣି ପୁରୀ ଉପକୂଳବାସୀ ଆତଙ୍କିତ ହୋଇପଡିଛନ୍ତି। ଏ ନେଇ ବ୍ରହ୍ମଗିରିର ଉପକୂଳ ଗ୍ରାମବାସୀ ଏଥିରୁ ସୁରକ୍ଷା ପାଇଁ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି ା ବ୍ରହ୍ମଗିରି ଅଞ୍ଚଳର ଠାକୁର ବାବା ଭୀମେଶ୍ୱରଙ୍କ ନିକଟରେ ସୋମବାର ଜଣେ ଭକ୍ତ ଅଧିଆ ପଡିବା ପରେ ଠାକୁରଙ୍କ ସ୍ବପ୍ନାଦେଶରେ ଏହି ବାତ୍ୟାରୁ ରକ୍ଷାପାଇବା ପାଇଁ ବାରୁଣାବନ୍ତରେ ଶରଣ ପଶ ବୋଲି ନିର୍ଦ୍ଦେଶ ରହିଥିଲା। ଏ ନେଇ ମଙ୍ଗଳବାର ସକାଳୁ ଏହି ଘଟଣା ପ୍ରଚାରିତ ହେବା ପରେ ବ୍ରହ୍ମଗିରି ଅଞ୍ଚଳର ଚାପମାଣିକ, ବେଢାସୁନ୍ଦର, କାଶିଝରିଆ, ପଲଙ୍କ, ମୋଟ, ଚଣ୍ଡିପୁଟ ଆଦି ୨୦ ଖଣ୍ଡି ଗ୍ରାମର ଲୋକେ ଏକଜୁଟ ହୋଇ ବାରୁଣାବନ୍ତ ଅର୍ଥାତ ବାଲିହରଚଣ୍ଡୀ ପୀଠରେ ପୂଜାର୍ଚ୍ଚନା କରିଥିଲେ। ଭୀମେଶ୍ୱରଙ୍କଠାରୁ ଆଜ୍ଞାମାଳ ଆଣି ମା’ଙ୍କ ନିକଟରେ ମଙ୍ଗଳବାର ଦିନତମାମ ନାମ ସଙ୍କୀର୍ତ୍ତନ କରାଯାଇଥିଲା ା ଏ ନେଇ ଐତିହ୍ୟ ବିଶାରଦ ସୁରେନ୍ଦ୍ର ମିଶ୍ର କୁହନ୍ତି ପାକୃତିକ ବିପର୍ଯ୍ୟୟ ପାଇଁ ମା’ ବାଲିହରଚଣ୍ଡୀଙ୍କ ନିକଟରେ ସ୍ଥାନୀୟ ଲୋକଙ୍କ ଅଗାଧ ବିଶ୍ୱାସ ରହିଛି। ଅତୀତରେ ସମୁଦ୍ର କୂଳ ଲଙ୍ଘିବା ସମୟରେ ମା’ ପ୍ରତ୍ୟକ୍ଷ ଭାବେ ତାକୁ ଅବରୋଧ କରିବା ଲୋକକଥା ରହିଛି।