Advertisement
Categories: ବାଣିଜ୍ୟ

ବାତ୍ୟା ପ୍ରଭାବିତ ଏମ୍‌ଏସ୍‌ଏମ୍‌ଇ ଲାଗି ଆସୁ ପୁନରୁଦ୍ଧାର ପ୍ୟାକେଜ: କ୍ଷୁଦ୍ର ଶିଳ୍ପ ସଂଘ

ଭୁବନେଶ୍ୱର,୯-୬: କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଶିଳ୍ପ ସଂଘ ଓଡ଼ିଶା ଆସେମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌(ଓସ୍‌ମେ)ର ପ୍ରତିନିଧି ଦଳ ଭୁବନେଶ୍ୱର ଭେଟି ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡିକର ବିଭିନ୍ନ ଦାବି ଶୁଶିବା ପରେ ଏହାର ସମାଧାନ ପନ୍ଥା ବାହାରି କରିବାକୁ ମନ୍ତ୍ରୀ ଷଡଙ୍ଗୀ ପ୍ରତିଶ୍ରୁତି ଦେଇଛନ୍ତି। ଓସ୍‌ମେ ସଭାପତି ଗୌରୀ ଶଙ୍କର ଦାସ ଏବଂ ମହାସଚିବ ସ୍ବାତ୍ତ୍ୱିକ ସ୍ବାଇଁଙ୍କ ସହ ଅନ୍ୟ ସଦସ୍ୟମାନେ ଫନୀ ପରେ ପ୍ରଭାବିତ ଏମ୍‌ଏସ୍‌ଏମ୍‌ଇଗୁଡିକ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଭିତ୍ତିଭୂମି ସମସ୍ୟା, ମେଶିନାରୀ, ଷ୍ଟକ, ବିଦ୍ୟୁତ ଯୋଗାଣ, ସିକ୍ୟୁରିଟି ଅର୍ଥ, ଲୋକ ଶକ୍ତିର ଅଭାବ, ରାଜସ୍ବ ହାନି ବ୍ୟାଙ୍କ ଏବଂ ବୀମା ଭଳି ପ୍ରସଙ୍ଗ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ସେହିଭଳି ଶିଳ୍ପଗୁଡିକ ଲାଗି ପ୍ୟାକେଜ, ହୋଟେଲ ଏବଂ ପର୍ଯ୍ୟଟନ କ୍ଷେତ୍ର ଲାଗି ବ୍ୟବସ୍ଥା, ସ୍ବଳ୍ପ ସୁଧହାରରେ ଋଣ ଯୋଗାଣ, ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଏମ୍‌ଏସ୍‌ଏମ୍‌ଇଗୁଡିକର ଋଣ ଛାଡ ଏବଂ ପ୍ରଭାବିତ ଶିଳ୍ପ ସଂସ୍ଥାଗୁଡିକ ଋଣ ପୁନର୍ଗଠନ ଦିଗରେ ସରକାର ବିଚାର କରନ୍ତୁ ବୋଲି ସଂଘ ନିବେଦନ କରିଛି। କାର୍ଯ୍ୟକ୍ରମରେ ଏମ୍‌ଏସ୍‌ଏମ୍‌ଇ ଡିଆଇର ନିର୍ଦ୍ଦେଶକ ଡ.ଏସ୍‌.କେ.ସାହୁ, ଏନ୍‌ଏସ୍‌ ଆଇସି ଡିଏମ୍‌ ପି.ସି. ନାୟକ, ଏନ୍‌ଏସ୍‌ଆଇସି ଡିଜିଏମ୍‌ ସଞ୍ଜୟ ରଉତଲେ, ଶିଳ୍ପ ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥ, ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଏମ୍‌.କେ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share