ବାତ୍ୟା ଫନୀ ପ୍ରତିଶ୍ରୁତି ଅଧିକାରୀ ଭୁଲିଗଲେ: ଲଘୁଚାପ ବର୍ଷାରେ ବେସାହାରା ୫ ପରିବାର

ପୁରୁଣା ଭୁବନେଶ୍ୱର/ପିପିଲି, ୨୭ା୧୦(ଡି.ଏନ.ଏ.): ଗରିବଙ୍କ ପାଇଁ ଦରଦ ଦେଖାଉଥିବା ନେତା ଓ ପ୍ରଶାସକଙ୍କ ଅସଲ ମୁଖା ଗୋଟିଏ ଲଘୁଚାପ ବର୍ଷା ପଦାରେ ପକାଇ ଦେଲା। ଲଘୁଚାପ ବର୍ଷାରେ ବେସାହାରା ହୋଇଥିବା ୫ ଦଳିତ ପରିବାର ବାରମ୍ବାର ରାଜନୈତିକ ଆକ୍ରୋଶ କାରଣରୁ କୌଣସି ଆବାସ ଯୋଜନା ଅନ୍ତର୍ଭୁକ୍ତ ନ ହେବା ନେଇ ଅଭିଯୋଗ କରିଛନ୍ତି। ତିନିଦିନ ଲଘୁଚାପ ବର୍ଷାରେ ପରିବାରଗୁଡ଼ିକ ଦୟନୀୟ ଅବସ୍ଥାରେ ଜଳବନ୍ଦୀ ହୋଇରହିଛନ୍ତି। ବର୍ଷାଜଳ ଘରେ ପଶିଯିବା ଯୋଗୁ ରୋଷେଇବାସ ବନ୍ଦ ଯୋଗୁ ଭୋକ ଉପାସରେ ପଡିଛନ୍ତି। ପ୍ରତିବର୍ଷ ବନ୍ୟା, ବାତ୍ୟା ଦାଉରେ ଦୟନୀୟ ଅବସ୍ଥା ଭୋଗୁଥିବା ବେଳେ ପ୍ରଶାସନିକ ସ୍ତରରେ କେବଳ ମିଥ୍ୟା ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳୁ ନ ଥିବା ୫ ଦଳିତ ପରିବାର ଅଭିଯୋଗ କରିଛନ୍ତି। ଏ ନେଇ ପିପିଲି ବ୍ଲକ ଅଧୀନ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ସାରୋଳ ଗ୍ରାମର ଦିଲୀପ ମଳିକ, ସଞ୍ଜୟ ମଳିକ, ବିଜୟ ମଳିକ, ଭୀମସେନ ମଳିକ, ଅଜୟ ମଳିକ, ଯଦୁମଣି ମଳିକ ଓ ଜୀବନ ମଳିକ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନେ କହିବା ମୁତାବକ ଫନୀରେ ଘର ଦ୍ୱାର ଭାଙ୍ଗିଯିବା ଯୋଗୁ ୨୮ ଦିନ ବାତ୍ୟା ଆଶ୍ରୟସ୍ଥଳରେ ରହିଥିଲେ। ସରକାରୀ ସାହାଯ୍ୟ ନାମରେ କିଛି ଟଙ୍କା, ଚାଉଳ ଓ ଜରିପାଲ ଦେଇ ଅଧିକାରୀ ମୁଣ୍ଡରୁ ଦାୟିତ୍ୱ ସାରି ଦେଇଥିଲେ। ଏମାନଙ୍କ ଅଭିଯୋଗ ଅନୁଯାୟୀ, ସରକାରୀ ସ୍ତରରେ ରାଶନ କାର୍ଡ ବ୍ୟତୀତ ଅନ୍ୟ କୌଣସି ଯୋଜନାରେ ଏମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉନାହିଁ। ବିଭିନ୍ନ ଆବାସ ଯୋଜନା ମାଧ୍ୟମରେ ଯେପରି ଅନ୍ୟ ଗରିବ ଲୋକଙ୍କୁ ଥଇଥାନ କରାଯାଉଛି ଏମାନଙ୍କ ମଧ୍ୟରୁ କେତେଜଣଙ୍କ ନାମ ଚିଠା ପ୍ରସ୍ତୁତ କରାଗଲେ ମଧ୍ୟ କୌଣସି କାରଣରୁ ବାରମ୍ବାର ନାମ କାଟି ଦିଆଯାଉଛି। ତୁରନ୍ତ ଏହି ପରିବାର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ସହ ସରକାରୀ ଆବାସ ଯୋଜନାରେ ଏମାନଙ୍କୁ ଘର ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ପିପିଲି ବିଡିଓ ଆଦିକନ୍ଦ ବେହେରାଙ୍କୁ ପଚାରିବାରେ ରାଜନୈତିକ ଆକ୍ରୋଶ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା। ବାତ୍ୟା ଫନୀ ବେଳୁ ବିଭିନ୍ନ ଅଞ୍ଚଳ ବୁଲି ଚିଠା ପ୍ରସ୍ତୁତ କରୁଛୁ। ଯଦି କେଉଁଠାରେ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଛନ୍ତି, ତୁରନ୍ତ ଅଗ୍ରାଧିକାର ଭିତ୍ତିରେ ଆବାସ ଯୋଜନା ଅନ୍ତର୍ଭୁକ୍ତ କରାଯାଉଛି।

Share