ବାତ୍ୟା ଫନୀ ପ୍ରଭାବ: କାକଟପୁର ଶିକ୍ଷା ବିଭାଗର ୧ କୋଟି ଟଙ୍କାର କ୍ଷତି ହୋଇଥିବା ଆକଳନ, ଖୁବ୍‌ଶୀଘ୍ର ମରାମତି କାର୍ଯ୍ୟ କରାଯିବାକୁ ଦାବି

କାକଟପୁର,୨୫।୫(ଡି.ଏନ୍‌.ଏ.): ସାମୁଦ୍ରିକ ବାତ୍ୟା ‘ଫନୀ’ ପ୍ରଭାବରେ କାକଟପୁର ବ୍ଲକ ଶିକ୍ଷା ବିଭାଗର ପ୍ରାୟ ୧ କୋଟି ଟଙ୍କାର କ୍ଷତି ଘଟିଥିବା ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ପରିଡ଼ା ସୂଚନା ଦେଇଛନ୍ତି। ବ୍ଲକ ଅଧୀନରେ ଥିବା ମୋଟ ୧୫୬ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୬୦ଟିର ଗୃହ ଆଂଶିକ ଭାବେ କ୍ଷତି ଘଟିଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ, ଗ୍ରାମ୍ୟ ଶିକ୍ଷା କମିଟି ପକ୍ଷରୁ ବ୍ଲକ ଶିକ୍ଷା ବିଭାଗକୁ ରିପୋର୍ଟ ପ୍ରଦାନ କରାଯାଇଛି। ବାତ୍ୟାରେ ଗଛ ପଡ଼ିଯିବାରୁ ବ୍ଲକ ଅନ୍ତର୍ଗତ କିଛି ବିଦ୍ୟାଳୟର ପାଇଖାନା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଭାଙ୍ଗି ଯାଇଥିବା ବିଦ୍ୟାଳୟର ଗୃହ ଏବଂ ପାଇଖାନା ଗୃହ ନିର୍ମାଣ ଓ ମରାମତି ପାଇଁ ପ୍ରାୟ ୧ କୋଟି ଟଙ୍କା ଆବଶ୍ୟକ ହେବାର ଆକଳନ କରାଯାଇଥିବା ବ୍ଲକ ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି।

କ୍ଷୟକ୍ଷତି ସମ୍ପର୍କରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଜିଲା ଶିକ୍ଷା ବିଭାଗକୁ ଅବଗତ କରାଇ ଦିଆଯାଇଛି। ତେବେ କ୍ଷତିଗ୍ରସ୍ତ ହୋଇଥିବା କିଛି ବିଦ୍ୟାଳୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଚାଲୁଥିବାରୁ ଗୃହ ଗୁଡ଼ିକର ପୁନଃ ନିର୍ମାଣ ଓ ମରାମତି କାର୍ଯ୍ୟ ଖୁବ୍‌ଶୀଘ୍ର କରାଯିବା ଜରୁରୀ ହୋଇ ପଡ଼ିଛି।

ଅପରପକ୍ଷେ ଆସନ୍ତା ଜୁନ ୧୮ରେ ବିଦ୍ୟାଳୟଗୁଡ଼ିକରେ ଗ୍ରୀଷ୍ମଛୁଟି ଶେଷ ହୋଇଯିବ। ଛୁଟି ପୂର୍ବରୁ ବିଦ୍ୟାଳୟ ଗୃହ ଗୁଡ଼ିକର ନିର୍ମାଣ କରା ନ ଗଲେ ଶିକ୍ଷାଦାନ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିଗ୍ରସ୍ତ ବିଦ୍ୟାଳୟ ଗୃହ ଓ ପାଇଖାନା ମରାମତି କରାଯିବାକୁ ସାଧାରଣରେ ଦାବି ହେଉଛି।

Share