ଡ. ଦେବାନନ୍ଦ ବେଉରା
ବେଶ୍ କିଛିଦିନ ହେବ ସାଧାରଣ ଜୀବନଯାତ୍ରାକୁ ବ୍ୟତିବ୍ୟସ୍ତ କରି ରଖିଛି ପ୍ରଳୟଙ୍କରୀ ବାତ୍ୟା ଫନୀର ପ୍ରଭାବ। ୧୪ଟି ଜିଲାରେ କ୍ଷୟକ୍ଷତି ଘଟାଇଥିବା ଫନୀ କିନ୍ତୁ ପୁରୀ ଓ ଖୋର୍ଦ୍ଧାକୁ ପ୍ରଚଣ୍ଡ ପ୍ରହାର କରିଛି। ୧୯୯୯ ମହାବାତ୍ୟା ପରବର୍ତ୍ତୀ ଦୀର୍ଘ ଦୁଇ ଦଶନ୍ଧିରେ ସୃଷ୍ଟି ହୋଇଥିବା ସୁଉଚ୍ଚ ସବୁଜିମା ବଳୟର ଗ୍ରୀବାକୁ ମୋଡି ଧରାଶାୟୀ କରିଦେଇଛି ଫନୀ। ପର୍ଯ୍ୟାପ୍ତ କ୍ଷୟକ୍ଷତିର ସଂକ୍ଷିପ୍ତ ବର୍ଣ୍ଣନା ହେଉଛି ଯେ ଘଣ୍ଟା ପ୍ରତି ୧୮୦ କି.ମି.ର ଚକ୍ରବାତ କଚ୍ଚାଘର, ନଡ଼ା-ଟିଣ ଛପର ଘରକୁ ଭାଙ୍ଗି ଛାରଖାର କରିଛି। ବଡ଼ବଡ ଗଛ ଭାଙ୍ଗି, ଉପାଡି, ଶୁଆଇ ପକ୍କା ଘରକୁ କ୍ଷତି ପହଞ୍ଚାଇଛି, ରାସ୍ତାଘାଟ ଅବରୋଧ କରିବା ସହିତ ବିଜୁଳି ଯୋଗାଣକୁ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ କରିଛି, ଜଳଯୋଗାଣ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇଛି ଇତ୍ୟାଦି। ସବୁଠାରୁ ବଡ଼ ତଥା ଅପୂରଣୀୟ କ୍ଷତି ହେଉଛି ପ୍ରାୟ ୬୪ ଜଣଙ୍କ ଜୀବନହାନି। ଆଦୌ ଜୀବନହାନି ନ ଘଟାଇବାର ପରିଚାଳନାଗତ ପ୍ରସ୍ତୁତି ବସ୍ତୁତଃ ପ୍ରକୃତି କୋପ ଆଗରେ ହାର ମାନିଛି ା ତେବେ ଅନେକ ମୃତାହତ ସମ୍ଭାବନାକୁ ଏଡାଇ ଦିଆଯାଇପାରିଛି।
ବାତ୍ୟା ସଂଘଟିତ ହେବାର ସ୍ଥାନ, କାଳକୁ ନେଇ ଏହାର ପରବର୍ତ୍ତୀ ପ୍ରଭାବର ତୀବ୍ରତା ଅନୁଭୂତ ହୋଇଥାଏ। ଯେମିତି ଗ୍ରୀଷ୍ମକାଳୀନ ବାତ୍ୟା ଫନୀର ପରବର୍ତ୍ତୀ ଦୁର୍ଦ୍ଦଶା ୪୦ ଡିଗ୍ରୀ ଉପରେ ରହୁଥିବା ପାରଦରେ ଜୀବନକୁ ଖିନ୍ଭିନ୍ କରିପକାଉଛି। ଅସହ୍ୟ ଗରମ, ଗୁଳୁଗୁଳିକୁ ପାଣି ସମସ୍ୟା- ଚଳେଇନେବାର ସୀମା ଟପିଲା ପରେ ରାଜରାସ୍ତାରେ ବିରୋଧ, ଧାରଣା ଏବଂ ବ୍ୟବସ୍ଥା ପ୍ରତି ଅଙ୍ଗୁଳିନିର୍ଦ୍ଦେଶ। ତେବେ ବିପର୍ଯ୍ୟୟର ପ୍ରଭାବକୁ ପ୍ରତିହତ କରିବାର ବ୍ୟବସ୍ଥାରେ ଦୁଇଟି ପ୍ରମୁଖ ଅଙ୍ଗ ଯଥା ସ୍ବଳ୍ପକାଳୀନ ପରିଚାଳନା ଏବଂ ଦୀର୍ଘକାଳୀନ ପରିଚାଳନା କାମ କରିଥାଏ। ବିପର୍ଯ୍ୟୟ ପରିଚାଳନାଗତ ଏ ଦୁଇ ପ୍ରସଙ୍ଗର ସାରାଂଶ ଏବେ ବିପର୍ଯ୍ୟୟର ପୂର୍ବ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ଉଦ୍ଧାର ଓ ରିଲିଫ ବଣ୍ଟାରେ ଅଟକି ଯାଉଛି। ଧାରାବାହିକ ଭାବେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ସ୍ଥାନରେ ଅନ୍ତତଃପକ୍ଷେ ଦୁର୍ଦ୍ଦଶାକୁ କମ୍ କରିବା ପାଇଁ ଅତ୍ୟାବଶ୍ୟକ କ୍ଷେତ୍ରରେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଆପଣେଇବା ନିହାତି ଜରୁରୀ ହୋଇପଡିିଛି।
ଓଡ଼ିଶାରେ ଫନୀକୁ ମିଶାଇ ବିଗତ ଚାରି ଚାରିଟି ବାତ୍ୟାର ମୁକାବିଲା ଆମେ ଦକ୍ଷତାର ସହ କରିପାରିଛୁ। ଏହା ଧନଜୀବନ କ୍ଷୟକ୍ଷତିକୁ ଅନେକ ପରିମାଣରେ କମାଇ ପାରିଛି, ଯାହାର ଅସ୍ତିତ୍ୱ ୧୯୯୯ ମହାବାତ୍ୟାରେ ନ ଥିଲା। କହିବାକୁ ଗଲେ ବିପର୍ଯ୍ୟୟ ପରିଚାଳନାର ପରିଭାଷା ଉପଲବ୍ଧ ନ ଥିଲା ସେତେବେଳେ। ତେଣୁ ଅପର୍ଯ୍ୟାପ୍ତ କ୍ଷୟକ୍ଷତି ଏବଂ ହଜାର ହଜାର ଜୀବନହାନି ଘଟିଥିଲା। ବର୍ତ୍ତମାନ ପରିସ୍ଥିତିରେ ପରିଚାଳନାର ବିଧିବଦ୍ଧ ପ୍ରାବଧାନ ମୁତାବକ ପୂର୍ବ ପ୍ରସ୍ତୁତିକୁ କାର୍ଯ୍ୟକାରୀ କରାଯାଉଛି। ବାତ୍ୟା ପୂର୍ବ ପ୍ରସ୍ତୁତିର କ୍ଷେତ୍ର ଓ କଳେବର ବାତ୍ୟା ସ୍ଥଳଭାଗ ଛୁଇଁବାର ସ୍ଥାନ, ପବନର ବେଗ, ବର୍ଷା ପରିମାଣ, ସାମୁଦ୍ରିକ ଢେଉ ଓ ଜୁଆରର ଉଚ୍ଚତା ଇତ୍ୟାଦିର ପ୍ରାକ୍ ସୂଚନା ଅନୁସାରେ ସ୍ଥିରୀକୃତ ହୋଇଥାଏ। ଜନସାଧାରଣଙ୍କୁ ବିପର୍ଯ୍ୟୟ ସମ୍ବନ୍ଧିତ ସତର୍କ ସୂଚନା ଦେବା, ସମ୍ଭାବ୍ୟ କ୍ଷୟକ୍ଷତି ତଥା ବିପଜ୍ଜନକ ସ୍ଥାନରୁ ଜନସାଧାରଣଙ୍କୁ ହଟାଇବା, ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା ଏବଂ ଆପତ୍କାଳୀନ ସାମଗ୍ରୀ, ଉଦ୍ଧାର ଉପଯୋଗୀ ସରଞ୍ଜାମ ମହଜୁଦ ରଖିବା ଇତ୍ୟାଦି କାର୍ଯ୍ୟକ୍ରମ ପୂର୍ବ ପ୍ରସ୍ତୁତିର ଅଂଶବିଶେଷ।
ତେବେ ବିପର୍ଯ୍ୟୟର ପୂର୍ବ ପ୍ରସ୍ତୁତି ସମ୍ପୂର୍ଣ୍ଣ ଅସ୍ଥାୟୀ ପଦକ୍ଷେପ ଏବଂ ଏହାର ସଫଳତା ବିପର୍ଯ୍ୟୟ ପୂର୍ବାନୁମାନର ସଠିକତା ଉପରେ ନିର୍ଭର କରେ। ଏଥିରେ ବିପର୍ଯ୍ୟୟପ୍ରବଣ ଅଞ୍ଚଳ ତଥା ଅଧିବାସୀ ସ୍ଥାୟୀ ଭାବେ ସ୍ଥିରୀକୃତ ନୁହନ୍ତି। ତେଣୁ ବାତ୍ୟାର ତୀବ୍ରତା ବଢିଲେ, ଦିଗ ପରିବର୍ତ୍ତନ ହେଲେ କିମ୍ବା ପବନ-ବର୍ଷାର ଅନୁପାତରେ ଅମେଳ ଘଟିଲେ ପୂର୍ବପ୍ରସ୍ତୁତି ସଫଳ ଭାବେ କାମ କରିପାରେ ନାହିଁ। ଯେମିତି ଘଟିଥିଲା ତିତ୍ଲି କ୍ଷେତ୍ରରେ ଆଉ ଫନୀରେ ପବନର ବେଗକୁ ନେଇ ଭୁବନେଶ୍ୱରରେ। ତଥାପି ବାତ୍ୟାର ପୂର୍ବପ୍ରସ୍ତୁତି କ୍ଷୟକ୍ଷତି ରୋକିବାକୁ ଯେ ଏକ ଅମୋଘ ଅସ୍ତ୍ର ତାହା ସ୍ବୀକାର୍ଯ୍ୟ। ପୂର୍ବପ୍ରସ୍ତୁତି ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ପ୍ରଶାସନିକ ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି। ବାତ୍ୟାଞ୍ଚଳର ଲୋକମାନେ ବାରମ୍ବାର ବାତ୍ୟାକୁ ଭେଟୁଥିଲେ ମଧ୍ୟ ପୂର୍ବ ପ୍ରସ୍ତୁତିରେ ନିଜ ମଧ୍ୟରେ ଆତ୍ମନିର୍ଭରଶୀଳତା ଏବଂ ଆତ୍ମବିଶ୍ୱାସ ଆଜି ପର୍ଯ୍ୟନ୍ତ ଜାଗ୍ରତ କରିପାରିନାହାନ୍ତି।
ସାମ୍ପ୍ରତିକ ପରିସ୍ଥିତିରେ ପୁରୀ ଓ ଭୁବନେଶ୍ୱରରେ ଫନୀର ତାଣ୍ଡବ ଯେଉଁ କ୍ଷୟକ୍ଷତି କରିଛି, ତାହା ପାରମ୍ପରିକ ବିପର୍ଯ୍ୟୟ ପରିଚାଳନା ବ୍ୟତିରେକେ ସମସ୍ୟାଭିତ୍ତିକ କିଛି ସ୍ଥାୟୀ ପ୍ରତିକାର ବ୍ୟବସ୍ଥାକୁ ଅବିଳମ୍ବେ ଆପଣେଇବା ପାଇଁ ଇଙ୍ଗିତ ଦେଇଛି। ସେଥି ମଧ୍ୟରୁ କିଛି ପ୍ରମୁଖ ବିଷୟ ଉପରେ ଆଲୋଚନା କରିବା। ପ୍ରଥମତଃ ବିଜୁଳି ଯୋଗାଣରେ ଗୁରୁତର ବ୍ୟାଘାତ ଯାହା ଏତେ ଦିନର ଆପ୍ରାଣ ଚେଷ୍ଟା ସତ୍ତ୍ୱେ ପୁନରୁଦ୍ଧାର ସମ୍ପୂର୍ଣ୍ଣ ରୂପେ ସମ୍ଭବ ହେଉନାହିଁ। ମେ ମାସର ପ୍ରଚଣ୍ଡ ତାତିରେ ସନ୍ତୁଳି ଯାଉଛନ୍ତି ଜନସାଧାରଣ। ବିଜୁଳି ନାହିଁ କି ଛାଇ ଟିକେ ନାହିଁ। ଥୁଣ୍ଟା ଗଣ୍ଡି ଶାଖା ଓ ଉପରମୁହାଁ ମୂଳ ମଧ୍ୟରେ କଂକ୍ରିଟ ଜଙ୍ଗଲଗୁଡିକ ସୁସ୍ପଷ୍ଟ। ବିଜୁଳି ବିନା ସହରୀ ଜୀବନ, ପୁଣି ଏତେ ଦିନ-ପୂରା ଯମ ଯନ୍ତ୍ରଣା। ବାତ୍ୟାରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଘଟଣାକୁ ଏଡାଇବାରେ ଭୂତଳ ବିଦ୍ୟୁତ୍ ପରିବହନ ଏକ ସ୍ଥାୟୀ ପ୍ରତିକାର ବ୍ୟବସ୍ଥାର ସ୍ଥାନ ନେଇପାରିବ ବୋଲି ପ୍ରୟୋଗାତ୍ମକ ଭାବେ ଦେଖାଯାଇଛି। ଯଦିଓ ଏହା ସମ୍ପୂର୍ଣ୍ଣ ସମାଧାନ ନୁହେଁ ତଥାପି ତାରଖୁଣ୍ଟ ଭାଙ୍ଗି ଯେଉଁ ମାତ୍ରାଧିକ ବିଭ୍ରାଟ ହେଉଛି ଅନ୍ତତଃ ପକ୍ଷେ ତାକୁ ଏଡାଇ ଦିଆଯାଇପାରିବ। ବିଦ୍ୟୁତ୍ ସାଙ୍ଗକୁ ଫନୀରେ ଜଳଯୋଗାଣ ମଧ୍ୟ ଠପ୍ ହୋଇଗଲା। ସଞ୍ଚତ୍ତ ଜଳରେ ଦିନେ ଦୁଇଦିନ ଟାଣି ନେଇହେଲା। ପରେ ଅବସ୍ଥା ଅସମ୍ଭାଳ। ଗରା, ମାଠିଆ, ବାଲ୍ଟି, ବୋତଲ ଧରି ଲୋକଙ୍କ ଇତସ୍ତତଃ ଧାଁ ଧପଡ, ପାଣି ପାଇଁ ଟ୍ୟାଙ୍କରକୁ ଚାହିଁ ଚାହିଁ ଆଖିରୁ ପାଣି ମରିବା ସାର ହେଉଥିଲା। ଏହା ସୂଚାଇ ଦେଉଛି ବିପର୍ଯ୍ୟୟ ପରେ ପାଣି ସମସ୍ୟାର ସମାଧାନ ପାଇଁ କିଛି ସ୍ଥାୟୀ ବ୍ୟବସ୍ଥାକୁ ବିପର୍ଯ୍ୟୟ ପରିଚାଳନାର ଅନ୍ତର୍ଭୁକ୍ତ କରିବା।
କିଛି କିଛି ଦୂରତାରେ ଆବଶ୍ୟକତାକୁ ଦେଖି ଗୋଟେ ଗୋଟେ ନଳକୂପ ଖନନ କରି ତା’ର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯିବା ଦରକାର। ବିପର୍ଯ୍ୟୟ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଜଳ ଯୋଗାଣରେ ବାଧା ସୃଷ୍ଟି ହେଲେ ଏଗୁଡିକ କାମରେ ଆସିପାରିବ। ସହର ପରିଧି ମଧ୍ୟରେ ସ୍ଥାନେ ସ୍ଥାନେ ଛୋଟ ବଡ ଜଳାଶୟମାନ ଖୋଳାଯାଇ ସେଥିରେ ବର୍ଷ ତମାମ ପାଣି ପୂର୍ଣ୍ଣ କରି ରଖିଲେ ବେଳ ଅବେଳରେ ଘରୋଇ ବ୍ୟାବହାରିକ ଜଳର ଆବଶ୍ୟକତାକୁ ମେଣ୍ଟାଇ ହେବ। ବିପର୍ଯ୍ୟୟ ବେଳେ ବିଜୁଳି ଓ ପାଣି ସମସ୍ୟା-ଏ ଦୁଇ ପ୍ରମୁଖ ଦିଗକୁ ଦୃଷ୍ଟିରେ ରଖି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କଲେ ପାଖାପାଖି ୮୦ ପ୍ରତିଶତ ଦୁର୍ଦ୍ଦଶା ଦୂର ହେଲା ବୋଲି ଜାଣ। ଆଉ ରହିଲା ଗଛ ଭାଙ୍ଗି, ଉପୁଡି ଘରଦ୍ୱାର କ୍ଷତି ଓ ଜୀବନ ହାନି। ତା’ହେଲେ କ’ଣ ଗଛ ଲଗେଇବାନି କି ଗଛ ରଖିବାନି। ବାତ୍ୟାରେ ଗଛ ଭାଙ୍ଗି ଯାହା ତ ଯାତନା ଦେଲା, ଗଛ ସବୁ ସଫା ହୋଇଯିବା ପରେ ଲଣ୍ଡା ସହରରେ ହୁ ହୁ ହୋଇ ବଢୁଥିବା ତାପମାତ୍ରା ଅଂଶୁଘାତକୁ ହିଁ ଆମନ୍ତ୍ରଣ କରୁଛି । ଏପରି କ୍ଷେତ୍ରରେ ଘର ପାଖରେ ବଡ ବଡ ତଥା ମସକା ଗଛ ନ ଲଗାଇ ବାମନ ପ୍ରଜାତିର ଗଛବୃଚ୍ଛ ସୃଷ୍ଟି କରିବା ଉଚିତ ହେବ। ନିମ, ବେଲ, କରଞ୍ଜ ଓ ବର ଆଦି ଚେମଡ଼ ଏବଂ ଦୃଢ ଚେରଯୁକ୍ତ ଗଛର ବାତ୍ୟା ପ୍ରତିରୋଧକ ଶକ୍ତି ଅଧିକ। ତେଣୁ ରାସ୍ତାକଡ, ପରିତ୍ୟକ୍ତ ଏବଂ ବଳକା ଜାଗାରେ ଏସବୁ ଗଛକୁ ବହୁ ପରିମାଣରେ ରୋପଣ କରାଯାଇପାରିବ।
ସାଧାରଣ ଭାବେ ବାତ୍ୟା ବା ସାମୁଦ୍ରିକ ଝଡ଼ ତଟରେଖା ଦେଇ ଉପକୂଳରେ ସ୍ଥଳଭାଗକୁ ଛୁଇଁଥାଏ। ଏଣୁ ଓଡିଶାର ୪୮୦ କି.ମି. ପରିବ୍ୟାପ୍ତ ତଟରେଖା ସଂଲଗ୍ନ ଅଞ୍ଚଳରେ ବ୍ୟାପକ ବରଗଛ ରୋପଣ କଲେ ତାହା ବାହୁବଳୀ ବାତ୍ୟାର ବହୁ ପରିମାଣରେ ବାଟ ଓଗାଳିପାରିବ। ସମୟକ୍ରମେ ସମୁଦ୍ର ସମୀପରେ ସଙ୍କୁଚିତ ହୋଇ ଯାଉଥିବା ହେନ୍ତାଳବଣ କିପରି ବିସ୍ତାର ଲାଭ କରିବ ସେ ପ୍ରତି ଯତ୍ନବାନ୍ ରହିବା ସହିତ ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ।
ଭୂତତ୍ତ୍ୱ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ମୋ-୯୮୬୧୨୧୩୪୭୨