Categories: ମେଟ୍ରୋ

ବାତ୍ୟା ବିପନ୍ନଙ୍କୁ ସମବେଦନା ଜଣାଇଲେ ବିଦେଶିନୀ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ)- ବାତ୍ୟା ‘ଫନୀ’ ପରେ ଏବେ ଓଡ଼ିଶାକୁ ବିଭିନ୍ନ ଦେଶ ସହଯୋଗ ହାତ ବଢ଼ାଉଛନ୍ତି। ଏହି ଭୟଙ୍କର ବାତ୍ୟାରେ ବିପନ୍ନ ଓଡ଼ିଶାବାସୀଙ୍କୁ ବିଭିନ୍ନ ଆଡୁ ସମବେଦନା ମିଳିବାରେ ଲାଗିଛି। ଫ୍ରାନ୍ସର ଜଣେ ଯୁବତୀ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ମହିନା ଖାନୁମ୍‌ ସୋସିଆଲ ମିଡିଆ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମବେଦନା ଜଣାଇଛନ୍ତି। ମହିନା ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀ ନୃତ୍ୟଶିକ୍ଷା କରିଛନ୍ତି। ସେ ଇଲିଆନା ସିତାରିଷ୍ଟିଙ୍କ ଛାତ୍ରୀ। ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଦ୍ୱାରା ଫ୍ରାନ୍ସରେ ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ଲାସ୍ୟକଳାରେ ସମ୍ପ୍ରତି ସେ ଶିକ୍ଷାଲାଭ କରୁଥିବାବେଳେ ଓଡ଼ିଶା ଓ ଓଡ଼ିଶୀ ନୃତ୍ୟପ୍ରତି ତାଙ୍କର ସମ୍ପର୍କ ରହିଛି। ଏଣୁ ଓଡ଼ିଶାରେ ବାତ୍ୟା ‘ଫନୀ’ର ତାଣ୍ଡବ ତାଙ୍କୁ ବ୍ୟଥିତ କରିଛି। ସେ କହିଛନ୍ତି, ବାତ୍ୟାରେ ଓଡ଼ିଶାର ଅନେକ କ୍ଷୟକ୍ଷତି ହୋଇଛି। କିନ୍ତୁ ଓଡ଼ିଶାର ଗୌରବମୟ ଅତୀତ, କଳା ନୈପୁଣ୍ୟ ଓ ପ୍ରାକୃତିକ ଶୋଭାରାଶି ଅକ୍ଷୁର୍ଣ୍ଣ ରହିଛି। ଶୀଘ୍ର ଓଡ଼ିଶାବାସୀ ଏହି ପ୍ରାକୃତିକ ବିପର୍ଯ୍ୟୟଜନିତ ସମସ୍ୟାରୁ ମୁକୁଳି ଆସନ୍ତୁ। ଏଥିସହ ମହିନା ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ‘ବନ୍ଦେ ଉତ୍କଳ ଜନନୀ’ ନିଆରା ଢଙ୍ଗରେ ଉଚ୍ଚାରଣ କରି ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ତାଙ୍କର ଏହି ଭିଡିଓକୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛି।

Share