Categories: ଖେଳ

ବାଦ୍‌ ପଡ଼ିଲେ ବୀରେନ୍ଦ୍ର

ଭୁବନେଶ୍ୱର, ୧୯।୧୦(କ୍ରୀଡ଼ା ପ୍ରତିନିଧି)-
ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ ଶୁକ୍ରବାର ଘୋଷିତ ଦଳରୁ ଅଭିଜ୍ଞ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ବାଦ୍‌ ପଡ଼ିଛନ୍ତି। ଏହା ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଛି। ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବାବେଳେ ଅଭିଜ୍ଞ ବୀରେନ୍ଦ୍ର ଦଳରେ ସ୍ଥାନ ନ ପାଇବାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ଗତ କିଛିବର୍ଷ ଧରି ବୀରେନ୍ଦ୍ର ଭାରତୀୟ ଦଳର ନିୟମିତ ସଦସ୍ୟ ରହି ଆସିଥିଲେ। ବେଲ୍‌ଜିୟମ ଟୁର୍‌ରେ ୫ଟି ଯାକ ମ୍ୟାଚ ଜିତିଥିବା ଭାରତୀୟ ଦଳ ପକ୍ଷରୁ ମଧ୍ୟ ସେ ଖେଳିଥିଲେ। ତେବେ ସମ୍ଭବତଃ ତାଙ୍କ ପ୍ରଦର୍ଶନ ମୁଖ୍ୟ କୋଚ୍‌ ଗ୍ରାହାମ୍‌ ରିଡ୍‌ଙ୍କୁ ପ୍ରଭାବିତ କରିପାରି ନାହିଁ। ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରିଡ୍‌ ଏ ସମ୍ପର୍କରେ ବିଶେଷ କିଛି ସ୍ପଷ୍ଟ କରି ନ ଥିଲେ ହେଁ ଦଳୀୟ ସନ୍ତୁଳନକୁ ଗୁରୁତ୍ୱ ଦିଆ ଯାଇଛି ଏବଂ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ପରେ ୧୮ ଜଣିଆ ଦଳ ଚୟନ ହୋଇଛି ବୋଲି ପ୍ରକାଶ କରିଛନ୍ତି। ବେଲଜିୟମ ଟୁର୍‌ରେ ପ୍ରଦର୍ଶନ ଭିତ୍ତିରେ ଖେଳାଳି ମନୋନୟନ କରାଯାଇଛି ଏବଂ ପେନାଲ୍ଟି କର୍ନରକୁ ମଧ୍ୟ ଧ୍ୟାନରେ ରଖା ଯାଇଛି ବୋଲି ସେ କହିଛନ୍ତି। ଦଳକୁ ଡ୍ରାଗ୍‌ ଫ୍ଲିକର ରୂପିନ୍ଦର ପାଲ୍‌ ସିଂଙ୍କ ପ୍ରତ୍ୟାବର୍ତ୍ତନ, ଯୁବ ଖେଳାଳିଙ୍କ ଉତ୍ସାହୀ ପ୍ରଦର୍ଶନର ପ୍ରଭାବ ମଧ୍ୟ ଦଳ ଚୟନ ଉପରେ ପଡ଼ିଛି ବୋଲି ଆଲୋଚନା ହେଉଛି। ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୨୦୧୫ରେ ରାୟପୁରରେ ଅନୁଷ୍ଠିତ ହକି ଓ୍ବାଲର୍‌ଡ ଲିଗ୍‌ରେ ବ୍ରୋଞ୍ଜ, ୨୦୧୭ରେ ଭୁବନେଶ୍ୱରରେ ଅନୁଷ୍ଠିତ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲରେ ବ୍ରୋଞ୍ଜ, ୨୦୧୨ରେ ଦୋହାରେ ଆୟୋଜିତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ, ୨୦୧୬ରେ କ୍ୱାଣ୍ଟାନରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ସ୍ବର୍ଣ୍ଣ, ୨୦୧୮ରେ ବ୍ରେଡାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ, ୨୦୧୩ରେ ଇପୋରେ ଅନୁଷ୍ଠିତ ଏସିଆ କପ୍‌ରେ ରୌପ୍ୟ, ୨୦୧୪ ଇଞ୍ଚିଅନ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଏବଂ ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ। ଘରୋଇ ପରିବେଶରେ ସେ ହକି ବିଶ୍ୱକପ ମଧ୍ୟ ଖେଳିଥିଲେ।

Share