ବାଧକ ସାଜିଛି ଗଛ: ଧିମେଇ ଯାଉଛି ରାସ୍ତା କାମ

ଜମନକିରା,୮।୧୨(ଡି.ଏନ୍‌.ଏ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡସ୍ଥ ଗୃହ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଜମନକିରା ୫୩ ନଂ. ରାଜପଥ ଷଣ୍ଢପଥର-ଫାଶୀମାଳ ଏବଂ ଜମନକିରା ମୁଖଛକ -ବଡ଼ମାଳ ପର୍ଯ୍ୟନ୍ତ ନିର୍ମାଣାଧୀନ ଥିବା ରାସ୍ତା ମଝିରେ ଗଛଗୁଡ଼ିକ ଥିବାରୁ ରାସ୍ତାକାମ ବାଧାପ୍ରାପ୍ତ ହେଉଛି। ଏ ନେଇ ଅଞ୍ଚଳବାସୀ ରାସ୍ତାକାମକୁ ତ୍ୱରାନ୍ବିତ କରିବା ପାଇଁ ବିଭାଗ, ଠିକାଦାର ସଂସ୍ଥା ଏବଂ ପ୍ରଶାସନ ପାଖରେ ଦାବି କରୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଜମନକିରା ମୁଖ୍ୟଛକ ୫୩ ନଂ. ରାଜପଥରୁ ବଡ଼ମାଳ ପର୍ଯ୍ୟନ୍ତ ସାଢ଼େ ୮ କିଲୋମିଟର ରାସ୍ତା କୁଚିଣ୍ଡା ଗୃହ ଓ ପୂର୍ତ୍ତ ବିଭାଗ ଦ୍ୱାରା ଅଧିକ ଚଉଡ଼ା କରାଯାଉଥିବା ବେଳେ ଏହି କାମକୁ ଏକ ଠିକାସଂସ୍ଥା ହାତକୁ ନେଇଛି। ଠିକାସଂସ୍ଥା କାମକୁ ଶୀଘ୍ର ଶେଷ କରିବା ପାଇଁ ପ୍ରୟାସ କରୁଥିବା ବେଳେ ରାସ୍ତା ମଝିରେ ଥିବା ୭ଟି ଗଛ ବାଧକ ସାଜିଛି।
ସେହିପରି ଷଣ୍ଢପଥର ଛକଠାରୁ ଫାଶୀମାଲ ଗଁାକୁ ଥିବା ୧୩ କିଲୋମିଟର ରାସ୍ତାରେ ଅନୁରୂପ ଭାବେ ଅନେକ ଗଛ ମଝିରେ ରହିଛି। ସେଥିପାଇଁ ଠିକାସଂସ୍ଥା କାମକୁ ଶୀଘ୍ର କରିପାରୁନାହିଁ। ରାସ୍ତାକାମ ଶୀଘ୍ର ଶେଷ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଆସୁଥିବା ବେଳେ ଉଭୟ ରାସ୍ତାରେ ଗଛ ଥିବାରୁ କାମ ଠିକ୍‌ରେ ଆଗେଇ ପାରୁ ନ ଥିବା ସଂସ୍ଥା ଅଧିକାରୀ କହିଛନ୍ତି।