ବାଧକ ସାଜିଛି ନାରମୁଣ୍ଡା ନାଳ, ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର

ଝରିଗାଁ,୭।୮(ସ୍ବ.ପ୍ର.): ସ୍କୁଲକୁ ଯିବାକୁ ରାସ୍ତାଘାଟ ନାହିଁ, ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ନିୟମିତ ବିଦ୍ୟାଳୟକୁ ଯିବା ନେଇ ବାଧକ ସାଜିଛି ନାରମୁଣ୍ଡା ନାଳ। ବର୍ଷା ହେଲା ମାତ୍ରେ ଅଭିଭାବକଙ୍କ ସମେତ ପିଲାମାନଙ୍କ ମନରେ ଭୟ ସୃଷ୍ଟି ହେଉଛି। ମାତ୍ର ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ନାରମୁଣ୍ଡା ନାଳ ପାର ହୋଇ ସ୍କୁଲକୁ ଯିବାକୁ ପଡୁଛି ସେମାନଙ୍କୁ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ବେଲଝରୀ ଗ୍ରାମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରକାଶ ଯେ, ବର୍ଷା ହେଲା ମାତ୍ରେ ନାରମୁଣ୍ଡା ନାଳରେ ପ୍ରଖର ସ୍ରୋତ ପ୍ରବାହିତ ହେଉଥିବାବେଳେ ଅତୀତ ଦିନରେ ସେହି ନାଳରେ ଜଣେ ବୃଦ୍ଧା ହାଟରୁ ଘରକୁ ଫେରିବା ସମୟରେ ଭାସି ଯାଇଥିଲେ। ସେହି ଘଟଣା ପରଠାରୁ ବର୍ଷା ହେଲା ମାତ୍ରେ ନାଳ ଅତିକ୍ରମ କରିବା ସମୟରେ ମନରେ ଭୟ ସୃଷ୍ଟି ହେଉଥିବା ବେଲଝରୀ, ମିରଧାନଗୁଡ଼ା, ବାଘଗୁଡ଼ା, ରାମସା ଆଦିର ଗ୍ରାମବାସୀ ପ୍ରକାଶ କରିଛନ୍ତି। ଉକ୍ତ ରାସ୍ତା ଦେଇ ବର୍ଷସାରା ବେଲଝରୀ ଗ୍ରାମର ଦଶରୁ ଊର୍ଦ୍ଧ୍ୱ ଝିଅପୁଅ ରାମସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇଥାନ୍ତି। ସେହିପରି ନାଳ ଆରପଟେ ରହିଥିବା ମିରଧାନଗୁଡ଼ା ଏବଂ ବାଘଗୁଡ଼ା ଗ୍ରାମର ପ୍ରାୟ ୧୦ ଜଣ ଝିଅପୁଅ ବେଲଝରୀ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବା ନେଇ ଆସିଥାନ୍ତି। ସେହି ରାସ୍ତା ଦେଇ ଦୈନଦିନ ଯାତାୟାତ କରୁଥିବା ଛାତ୍ରୀ ଆସମତୀ ଗୌଡ଼, ସବିତା ଗୌଡ଼, ଗୋମତୀ ଜାନୀ, ହୀରାମଣି ଜାନୀ, ଡାଳିମ୍ବ ଜାନୀ, ପଦ୍ମା ଜାନୀ, ଫୁଲମତୀ ଜାନୀ, ଦାମାନୀ ଜାନୀ, ଲକ୍ଷ୍ମୀ ଜାନୀ, ମଙ୍ଗଳଦେଇ ଜାନୀ, ହରିଶଚନ୍ଦ୍ର ଜାନୀ, ବାସନ୍ତି ଜାନୀ, ମୁନି ଜାନୀ ଏନଂ ଛାତ୍ର ଜୟଦେବ ଜାନୀ ପ୍ରମୁଖ ପ୍ରକାଶ କରିଛନ୍ତି। ସ୍ଥାନୀୟ ବ୍ଲକ ପ୍ରଶାସନ ୨୦୧୮-୧୯ ମସିହାରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା ସହାୟତାରେ ୨୦ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ବର୍ଷା ଯୋଗୁ କାମ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିରହିଛିି। ଏ ନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧରୁଆଙ୍କୁ ପଚାରିବାରୁ ଅର୍ଦ୍ଧ ନିର୍ମିତ ପୋଲର ପାର୍ଶ୍ୱରେ ରହିଥିବା ରାସ୍ତାରେ କିପରି ଛାତ୍ରୀଛାତ୍ର ଆସି ପାରିବେ ସେଥିନେଇ ବ୍ଲକ ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ।

Share