ବାପଛେଉଣ୍ଡ ୪ ଶିଶୁ ଅସହାୟ

ତେଲକୋଇ, ୬।୧(ଡି.ଏନ.ଏ.)-ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ପଞ୍ଚାୟତର ଦାମୋଦର ଗୌଣି ମୁଣ୍ଡା ସାହିରେ ୪ଜଣ ଅନାଥ ଶିଶୁ ରହୁଛନ୍ତି। ବାପା ମରିବା ପରେ ସେମାନଙ୍କ ମା’ ଛୁଆଙ୍କୁ ଛାଡି ପଳାଇବା ଯୋଗୁ ଛୁଆ ମାନଙ୍କ ପାଖରେ କେହି ନାହାନ୍ତି। ତାଙ୍କର ସାହା ଭରସା ପାଲଟିଛନ୍ତି ସମ୍ପର୍କୀୟ ଜେଜେ ମା’। ଏଭଳି ଅସହାୟଙ୍କ ପାଇଁ ସ୍ଥାନୀୟ ସରପଞ୍ଚ ରିଙ୍କୁ ମହାନ୍ତ ଜିଲା ପ୍ରଶାସନଙ୍କ ଠାରେ ତାଙ୍କୁ ସହାୟତା ଦେବା ପାଇଁ ଦାବି କରିଛନ୍ତି।
ଘଟଣା ଅନୁଯାୟୀ ବାପା ମରିଯିବା ପରେ ମା’ ଚାରି ଛୁଆଙ୍କୁ ଛାଡି ଅନ୍ୟତ୍ର ପଳାଇ ଯାଇଛନ୍ତି। ୪ଜଣ ଶିଶୁଙ୍କ ମଧ୍ୟରୁ କାଞ୍ଚନା ନାଏକ(୧୨), ଲଳିତା ନାୟକ(୧୦), ସୁରେଶ ନାଏକ(୮)ଓ ଅମ୍ବିତା ନାଏକ(୪)ଅସହାୟ ହୋଇପଡିଛନ୍ତି। ଏହି ଦୁଃସମୟରେ ତାଙ୍କର ଜଣେ ସମ୍ପର୍କୀୟ ଜେଜେ ମା’ ମୁଲ ମଜୁରୀ କରି ୪ଛୁଆଙ୍କୁ ଆହାର ଯୋଗାଡ କରିବା ଉଦ୍ୟମ କରିଛନ୍ତି। ତେବେ ଜଣେ ବୃଦ୍ଧା କେତେଦିନ ସେମାନଙ୍କ ପାଖରେ ରହିବେ ବୋଲି ସ୍ଥାନୀୟବାସୀ ପ୍ରଶ୍ନ କରିଛନ୍ତି। ବହୁ କଷ୍ଟରେ ୪ ଛୁଆଙ୍କ ମୁହଁରେ ଖାଇବା ଲାଗି ଦାନା ଯୋଗାଡ଼ କରୁଛନ୍ତି। ପାଠପଢାରେ ଛୁଆଙ୍କ ଡୋରି ବନ୍ଧା ହୋଇଥିବା ବେଳେ ସରକାରୀ ସହାୟତା ଲାଗି ସ୍ଥାନୀୟ ସରପଞ୍ଚଙ୍କୁ ଦାବି କରିଛନ୍ତି। ଏସମ୍ପର୍କରେ ସ୍ଥାନୀୟ ବିଡିଓ ଦିଲୀପ କୁମାର ବାରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସମ୍ପୃକ୍ତ ଅନାଥ ଛୁଆଙ୍କୁ ସହାୟତା କରିବା ପାଇଁ ପ୍ରତିଶ୍ରୁତି ସହିତ ଜିଲା ଚାଇଲଡଲାଇନ ଅଧିକାରୀଙ୍କୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।