ବାପାଙ୍କୁ କୋଦାଳରେ ଛେଚି ହତ୍ୟାକଲେ ପୁଅ, ଅଭିଯୁକ୍ତଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

କେନ୍ଦୁଝର, ୩।୧୦(ସ୍ବ.ପ୍ର.): ବୃଦ୍ଧ ବାପାଙ୍କୁ ଅତି ନିର୍ମମ ଭାବେ ଛେଚି ହତ୍ୟା କଲେ ପୁଅ। ଗୁରୁବାର ମଧ୍ୟାହ୍ନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିଂହବିଲା ଗ୍ରାମ କିରିକିଚିଆ ସାହିରେ। ମୃତ ବାପା ହେଲେ ଗୋପାଳ ସାହୁ(୭୮) ।
ପ୍ରକାଶ ଯେ, ଗୋପାଳ ମଧ୍ୟାହ୍ନରେ ନିଜ ଘର ବାରଣ୍ଡାରେ ବସିଥିଲେ। ନିଶାଶକ୍ତ ଅବସ୍ଥାରେ ପୁଅ ମଦନ ଆସି କୌଣସି କାରଣରୁ ତାଙ୍କୁ କୋଦାଳରେ ଆକ୍ରମଣ କରିଥିଲେ। ଏହାଦେଖି ମଦନଙ୍କ ମା’ ସାହି ପଡିଶାଙ୍କୁ ଡାକିବା ପାଇଁ ଯାଇଥିଲେ। ଏହି ସମୟରେ ମଦନ ଗୋପାଳଙ୍କୁ ଛେଚି ମାରିଦେଇଥିଲେ। ପରେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ଘର ବଗିଚାରେ ପକାଇ ଦେଇଥିଲେ। ଘଟଣା ପରେ ପଡୋଶୀ ମଦନଙ୍କୁ ଧରି ପାଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଥାନାକୁ ଖବର ଦେଇଥିଲେ। ଘଟଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋପାଳଙ୍କ ମୃତଦେହ ଉଦ୍ଧାର କରିଛି। ହତ୍ୟା ଘଟଣାରେ ବ୍ୟବହୃତ କୋଦାଳକୁ ଗୁହାଳ ପାଖରେ ଲୁଚାଯାଇଥିବା ବେଳେ ପୋଲିସ ତାକୁ ଜବତ କରିଛି। ମଦନଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ମଦନଙ୍କୁ ଗିରଫ କରାଯିବ ବୋଲି ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ କହିଛନ୍ତି।

Share