ବାପାଙ୍କୁ ହତ୍ୟାକରି ଆତ୍ମହତ୍ୟା କଲେ ପୁଅ

ଚୌଦ୍ୱାର,୨୨।୩(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସହରରେ ଘଟିଛି ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଘଟଣାକୁ ନେଇ ପୁଅ ବାପାଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ମୃତ ବାପା ହେଲେ ଚୌଦ୍ୱାର ପୌରପାଳିକାର ୧୧ ନଂ ୱାର୍ଡ ଅନ୍ତର୍ଗତ ଓଟିଏମ୍‌ କଲୋନୀରେ ରହୁଥିବା କାଳୁ ଚରଣ ବେହେରା(୬୫)। ସେହିଭଳି ମୃତ ପୁଅ ହେଲେ ମୁନି।

ସୂଚନାନୁଯାୟୀ, ଓଟିଏମ୍‌ କଲୋନୀରେ ରହୁଥିବା କାଳୁ ଚରଣଙ୍କ ପୁଅ ମୁନିଙ୍କର ମାନସିକ ଅବସ୍ଥା ଭଲ ନ ଥିଲା। ରାତିରେ କୌଣସି କଥାକୁ ନେଇ ମୁନି ଓ ତାଙ୍କ ମା’ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ କାଳୁଚରଣ ମୁନିଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ମୁନି ଉତ୍‌କ୍ଷିପ୍ତ ହୋଇ ଏକ ଲୁହା ରଡ୍‌ରେ ବାପାଙ୍କୁ ଆକ୍ରମଣ କରିଥିଲେ। ଏଥିରେ କାଳୁଚରଣଙ୍କ କପାଳ ଦୁଇଫାଳ ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ବାପାଙ୍କ ମୃତ୍ୟୁ ହୋଇଯାଇଥିବା ଦେଖି ପୁଅ ମୁନି ମାନସିକ ଭାରସାମ୍ୟ ହରାଇ ଏକ ଛୁରୀ ସାହାଯ୍ୟରେ ନିଜ ଶରୀରର ବିଭିର୍ଣ୍ଣ ସ୍ଥାନରେ ଆଘାତ ଦେଇଥିଲେ। ଏଥିରେ ପ୍ରଚୁର ରକ୍ତସ୍ରାବ ଯୋଗୁ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ପରେ ତାଙ୍କ ମାଆ କବାଟ ଖୋଲି ବାହାରକୁ ଆସି ପଡ଼ୋଶୀଙ୍କୁ ଡାକ ପକାଇଥିଲେ। ଖବର ପାଇ ଚୌଦ୍ୱାର ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମୁନିକୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳକୁ ପୋଲିସ ନିଜ କବ୍ଜାକୁ ନେଇ ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ ଜାରି ରଖିଛି।

Share