ବାପାଙ୍କ କଟୁରି ଚୋଟରେ ପୁଅ ମୃତ

ଦେବଗଡ଼,୧୮ା୫(ଡି.ଏନ୍‌.ଏ.)- ଯେଉଁ ପୁଅକୁ କାଖେଇ କୋଳେଇ ବଡ଼ କରିଥିଲେ, ସେହି ବଢ଼ିଲା ପୁଅଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି ବାପା। ମଙ୍ଗଳବାର ରାତିରେ ଏଭଳି ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଜିଲା ଆଦର୍ଶ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ। ରାତି ପ୍ରାୟ ୧୧ଟା ୩୦ରେ ଉକ୍ତ ଗ୍ରାମର ଗୋଲବଦନ ପାତ୍ର(୩୨) ଘରେ ଶୋଇଥିଲେ। ପାରିବାରିକ କଳହକୁ ନେଇ ତାଙ୍କ ବାପା ମୁଚି (୬୨) ସେଠାକୁ ଆସି ତାଙ୍କୁ ନିଦରୁ ଉଠାଇବା ସହ ଗାଳିଗୁଲଜ କରିଥିଲେ। ଫଳରେ ଉଭୟ ବାପ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମୁଚି ଘରେ ଥିବା ଏକ କଟୁରି ସାହାଯ୍ୟରେ ଗୋଲବଦନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଗୋଲବଦନଙ୍କ ମୃତ୍ୟୁ ଘଟିଥିଲା। ମୁଚି ଘଟଣାସ୍ଥଳରେ କଟୁରିକୁ ଫିଙ୍ଗିଦେବା ସହ ଦେବଗଡ଼ ଆଦର୍ଶ ଥାନାକୁ ଆସି ଆତ୍ମସମର୍ପଣ କରିଥିଲେ। ପୋଲିସ ପହଞ୍ଚତ୍ ଗୋଲବଦନଙ୍କ ମୃତଦେହ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି ଜବତ କରିଛି। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ ଚଳାଇଛି। ପରେ ପୋଲିସ ଅଭିଯୁକ୍ତ ବାପା ମୁଚି ପାତ୍ରଙ୍କୁ ବୁଧବାର ଗିରଫ କରିଛି। ଗୋଲବଦନଙ୍କ ସ୍ତ୍ରୀ କୁନି ଏନେଇ ଥାନାରେ ଲିଖିତ ଏତଲା ଦେଇଛନ୍ତି।

Share