‘ବାପାଙ୍କ ଗାଳି ମୋ ଜୀବନର ଟର୍ନିଂ ପଏଣ୍ଟ’

ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ନିଜ ଅନୁଭୂତି ସମ୍ପର୍କରେ କହନ୍ତି, ୧୧ବର୍ଷ ବୟସରେ ମୁଁ ରଥଖଳାକୁ ଚାଲି ଆସିଥିଲି। ୧୯୯୬ ମସିହାରେ ଶାଢି ବନ୍ଧାଇଥିଲି। ୨୦୦୫ରେ ବାପା ଦାମୋଦର ମହାପାତ୍ରଙ୍କ ଦେହାନ୍ତ ପରଠୁ ମୁଖ୍ୟ ବିଶ୍ୱକର୍ମାର ଦାୟିତ୍ୱ ତୁଲାଇ ଆସୁଛି। ଯୁବାବସ୍ଥାରେ ବାପାଙ୍କଠାରୁ ବହୁତ ଗାଳି ଶୁଣିଛି। ‘ତୋ ହାତରେ କିଛି ହେବନି ବୋଲି ବାପା ରାଗିକି କହୁଥିଲେ। ଏହାକୁ ଅତି ଗୁରୁତ୍ୱର ସହ ନେଇଥିଲି। ମୋର କେଉଁଠି ଭୁଲ ରହିଲା ତାହାକୁ ସୁଧାରିବା ପାଇଁ ଚେଷ୍ଟା କରିଥିଲି। ବାପାଙ୍କ ଆକଟ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜି ରଥ ନିର୍ମାଣର ଗୁରୁ ଦାୟିତ୍ୱ ବହନ କରୁଛି। ବାପାଙ୍କ ଗାଳି ମୋ ଜୀବନର ଏକ ଟର୍ନିଂ ପଏଣ୍ଟ। ବର୍ତ୍ତମାନ ସୁଦ୍ଧା କୌଣସି ବିପଦର ସମ୍ମୁଖୀନ ହୋଇନି। ପୂର୍ବରୁ ମଁୁ କିଛି ଦିନ ଭୁବନେଶ୍ୱରରେ ରହି ଷ୍ଟୋନ କାମ କରୁଥିଲି। ବାପା କହିଲେ, ତୁ ପାରମ୍ପରିକ ସେବା ଛାଡ଼ିି ଭୁବନେଶ୍ୱରରେ କ’ଣ କରୁଛୁ। ବାପାଙ୍କ କଥା ମୋ’ ଜୀବନରେ ଗଭୀର ରେଖାପାତ କରିଥିଲା। ସେଦିନ ରାତିରେ ସ୍ବପ୍ନ ଦେଖିଥିଲି ମୁଁ ରଥଖଳାରେ କାମ କରୁଛି। ଏହା ମହାପ୍ରଭୁଙ୍କ ଇଚ୍ଛା ଭାବି ଚାକିରି ଛାଡ଼ି ପୁରୀ ଚାଲି ଆସିଲି।

Share