ବାପାଙ୍କ ମନପ୍ରାଣ ବିଜୁବାବୁ; ଭାଜପାରେ ମିଶିବା ଭୁଲ ନିଷ୍ପତ୍ତି ଥିଲା: ସମ୍ବିତ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ ଆଉ ଏବେ ଏବେ ଭାଜପାରୁ ବୁଧବାର ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଡା. ଦାମୋଦର ରାଉତ। ଗୋଟିଏ ପଟେ ବିଜେପୁର ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ହଠାତ୍‌ ଦାମ ଦଳ ଛାଡ଼ିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଦାମ ଭାଜପା ଉପରେ କ୍ଷୋଭ ପ୍ରକାଶ କରି ଇସ୍ତଫା ଦେବା ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ।

ସମ୍ବିତ କହିଛନ୍ତି, ଭାଜପାରେ ମିଶିବା ବାପାଙ୍କ ଭୁଲ ନିଷ୍ପତ୍ତି ଥିଲା। ଏକ ଦୁର୍ବଳ ମୁହୂର୍ତ୍ତରେ ତାଙ୍କୁ ଡାକି ନେଇ ଭାଜପାରେ ମିଶାଯାଇଥିଲା। ସେତେବେଳେ ସେ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ବାପା ମାନି ନ ଥିଲେ। ବାପାଙ୍କ ମନପ୍ରାଣ ବିଜୁବାବୁ। ଏଣୁ ସେ ଭାଜପାରେ ସହଜ ମନେ କଲେନି। ଭାଜପା ଓ ବିଜେଡିର ଆଦର୍ଶ ସ୍ବତନ୍ତ୍ର। ୪୩ବର୍ଷ ଧରି ଗୋଟିଏ ଆଦର୍ଶରେ ରହି ଅନ୍ୟ ଦଳରେ ନିଜକୁ ସାଲିସ କରିବା କଷ୍ଟକର। ସେଥିପାଇଁ ବାପାଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଦାମ ବୁଧବାର ଦଳରୁ ଇସ୍ତଫା ଦେବା ପରେ ନିଜର ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ ଭାଜପା ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି, ନିଜକୁ ଦଳରେ ଅଲୋଡ଼ା ମନେ କରୁଛି। ନିର୍ବାଚନ ପରେ ଏବେ ଦଳୀୟ କାର୍ଯ୍ୟକ୍ରମରେ ମୋ ଉପସ୍ଥିତିକୁ କେହି ଆବଶ୍ୟକ ମନେ କରୁନାହାନ୍ତି। ୩୫ ବର୍ଷ ଧରି ବିଧାୟକ, ୬ଥର ମନ୍ତ୍ରୀ ହେବା ପରେ ବି ନିଜକୁ ଅଲୋଡ଼ା ଭାବୁଛି। ଏହା ମୋ ଭିତରେ ମାନସିକ ଅସନ୍ତୁଳନ ସୃଷ୍ଟି କରୁଛି। ଏଣୁ ସକ୍ରିୟ ରାଜନୀତିରୁ ସେ ସମ୍ପୂର୍ଣ୍ଣ ଅବ୍ୟାହତି ନେବାକୁ ବାଧ୍ୟ ହେଉଥିବା ଦାମ କହିଛନ୍ତି।

Share