ବାପାଙ୍କ ମୃତଦେହକୁ ବାଇକ୍‌ରେ ନେଲେ ପୁଅ

ନବରଙ୍ଗପୁର/ଉମରକୋଟ,୧୭-୯(ବି.ପ୍ର./ଡି.ଏନ.ଏ):ଦେଶୀ ଚିକିତ୍ସା ପାଇଁ ବାପାଙ୍କୁ ଆଣିଥିବା ବେଳେ ମୃତ୍ୟୁ ଘଟିଥିଲା। ବାପାର ମୃତଦେହକୁ ଏକ କାଠପଟାରେ ବାନ୍ଧି ବାଇକରେ ପୁଅ ଘରକୁ ଆଣୁଥିଲେ। ଦୀର୍ଘ ୨୨ କି.ମି ପର୍ଯ୍ୟନ୍ତ ମୃତଦେହକୁ ରବିବାର ରାତିରେ ଏପରି ଧରି ଆସିବା ପରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଳକ ଡିଏନକେ ଗୋପବନ୍ଧୁ ଛକ ନିକଟରେ ଲୋକମାନଙ୍କ ନଜର ପଡିଥିଲା। ଲୋକମାନେ ବାଇକକୁ ଅଟକାଇ ସ୍ଥାନୀୟ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ଶବବାହକ ଗାଡିରେ ମୃତଦେହ ପଠାଯାଇଥିଲା। ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁଡୁମଧରା ଗାଁର ବଳି ସାନ୍ତା ଝରିଗାଁ ବ୍ଲକ ବଂଶିବନ୍ଧା ଗାଁକୁ ଦେଶୀ ଚିକିତ୍ସା ପାଇଁ ପୁଅ ଲକି ସାନ୍ତା ସହ ଆସିଥିଲେ ା ସେଠାରେ ବଳିଙ୍କ ଅବସ୍ଥା ଗୁରୁତର ହେବାରୁ ଲକି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ା ଆମ୍ବୁଲାନ୍ସ ଆସି ନ ଥିଲା ା ଇତି ମଧ୍ୟରେ ବଳିଙ୍କ ମୃତ୍ୟୁ ଘଟିଥିଲା ା ବଳିଙ୍କ ମୃତଦେହକୁ ଏକ କାଠ ପଟା ଉପରେ ବାନ୍ଧି ଅନ୍ୟ ଜଣଙ୍କ ସହାୟତାରେ ବାଇକ ପଛରେ ରଖି ଲକି କୁଡମଧରା ଗାଁକୁ ନେଉଥିଲେ। ଉମରକୋଟ ଡିଏନକେ ଗୋପବନ୍ଧୁ ଛକ ନିକଟରେ ଲୋକମାନେ ଏହା ଦେଖି ମୃତଦେହକୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ପରାମର୍ଶ ଦେଇଥିଲେ।