ବାପା, ପୁଅଙ୍କୁ ହତ୍ୟା : ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

ମାଲକାନଗିରି,୨।୧୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଉଦୁଲିବେଡ଼ା ଗ୍ରାମର ପିତା-ପୁତ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଉଦୁଲିବେଡ଼ା ଗ୍ରାମର ନିଳେନ୍ଦ୍ର ଖିଲ ଓ ବାପା ସୁଦନ ଖିଲ ଶୁକ୍ରବାର ରାତିରେ ଘରକୁ ଫେରି ନ ଥିବାରୁ ନିଳେନ୍ଦ୍ରଙ୍କ ସ୍ତ୍ରୀ ଡାଳିମ୍ବ ଓ ଶାଶୁ ମିଶି ଅନେକ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ପାଇ ନ ଥିଲେ। ତେବେ ସକାଳେ ଗ୍ରାମର ସୁବାସ ଚନ୍ଦ୍ର ମାଳି, ଭୂବନେଶ ହନ୍ତାଳ, ହରିଶ ହନ୍ତାଳ ଏବଂ କିଛି ଗ୍ରାମବାସୀ ମିଶି ଗୁଣିଗାରେଡ଼ି ସନ୍ଦେହରେ ପିଟିପିଟି ଜୀବନରେ ମାରି ଦେଇଥିବା ଶୁଣିବାକୁ ପାଇଥିଲେ। ଏଥିସହ ଘଟଣାସ୍ଥଳରୁ ଘୋଷାଡ଼ି ନେଇ ନଦୀଘାଟ ନିକଟରେ ଫିଙ୍ଗି ଦେଇଥିବା ଶୁଣିବା ପରେ ଡାଳିମ୍ବ ଗୋବିନ୍ଦପାଲ୍ଲୀ ଫାଣ୍ଡିରେ ଏକ ଏତଲା ଦେଇଛନ୍ତି। ଗୋବିନ୍ଦପାଲ୍ଲୀ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ମଧ୍ୟରୁ ସୁବାସ ଓ ଭୂବନେଶ ମାଥିଲି ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।