ବାପିଙ୍କ ନୂଆ ଅବତାର

ବାପି ପଣ୍ଡା। ଜଲିଉଡ୍‌ର ଏହି ଅନ୍ୟତମ ଲୋକପ୍ରିୟ ଅଭିନେତାଙ୍କୁ ଆସନ୍ତା ଯାତ୍ରା ସିଜନରେ ଏକ ନୂଆ ଗେଟଅପରେ ଦେଖିବାକୁ ମିଳିବ। ଏପରି ଭୂମିକାକୁ କିପରି ଶତ ପ୍ରତିଶତ ଜଷ୍ଟିସ ଦିଆଯାଇପାରିବ ସେ ନେଇ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଲେଣି। ନାଟକଟି ହେଲା ‘ସୀତାର ଜଳୁଛି ଚିତା’। ଅରୁଣ ନାୟକଙ୍କ ରଚିତ ତଥା ବାଘାଯତୀନ ଲୋକନାଟ୍ୟ ଦ୍ୱାରା ପରିବେଷିତ ହେବାକୁ ଥିବା ଏହି ନାଟକର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିବେ ମହେଶ ହାଜରା। କେବଳ ଏହି ଭୂମିକା ନୁହେଁ ଗେଟ୍‌ଅପ୍‌କୁ ନେଇ ମଧ୍ୟ ଚର୍ଚ୍ଚା। ଏହା ପଛରେ କ’ଣ ରହିଛି ପ୍ରଶ୍ନର ଉତ୍ତରରେ ବାପି କହନ୍ତି, ‘ଏହି ନାଟକରେ ମୁଁ ଜଣେ ଏସ୍‌ପି (ପୋଲିସ ସୁପରିଣ୍ଟେଣ୍ଡେଣ୍ଟ) ଭୂମିକାରେ ଅଭିନୟ କରୁଛି। ସ୍ଥାନୀୟ ବିଧାୟକଙ୍କ ଗୁଣ୍ଡାରାଜ ବିରୋଧରେ ସାହସର ସହ ଲଢ଼ୁଛି। ହେଲେ ବଳିଦାନ ସ୍ବରୂପ ତାକୁ ଅନେକ କିଛି ହରାଇବାକୁ ପଡୁଛି। ଆଉ ତା’ପରେ ସେ ନିଜର ମାନସିକତା ପରିବର୍ତ୍ତନ କରି ଜଣେ ଅର୍ଦ୍ଧ ପାଗଳ ଭାବରେ ଘୂରି ବୁଲୁଛି। ହେଲେ କ’ଣ ପାଇଁ ? ଅପେକ୍ଷା କରନ୍ତୁ ନା ! ମାସ କେଇଟା ପରେ ମଞ୍ଚ ଉପରେ ଦେଖିପାରିବେ।’ ଆସନ୍ତା ଯାତ୍ରା ସିଜନ ପାଇଁ ବାଘାଯତୀନ ଲୋକାନାଟ୍ୟ ଆଉ ଦୁଇଟି ନାଟକ-‘ସିନ୍ଦୂର ସାଜିଛି କନିଆ ରାଣୀ’ (ରଚନା-ଅଧ୍ୟାପକ କୃଷ୍ଣ ପାତ୍ର, ନିର୍ଦ୍ଦେଶନା-ବିନୋଦ ରାଉତ) ଏବଂ ‘ମୋ ସିନ୍ଦୂର କେଉଁ ସ୍ବାମୀର’ (ରଚନା-ସୁକାନ୍ତ ମଲ୍ଲିକ, ନିର୍ଦ୍ଦେଶନା-ରଞ୍ଜନ ବିଶ୍ୱାଳ)ର ପ୍ରସ୍ତୁତିରେ ଲାଗିପଡିଛି। ଏହାପୂର୍ବରୁ ଅନେକ ନାଟକରେ ବାପି ନିଜ ଅଭିନୟ ଦକ୍ଷତା ବଳରେ ଅପେରାପ୍ରେମୀଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତେବେ ଏପରି ଚ୍ୟାଲେଞ୍ଜିଂ ଭୂମିକା ତାଙ୍କୁ ନିଶ୍ଚୟ ମାଇଲେଜ ଦେବ ବୋଲି ଆଶା ରଖିଛନ୍ତି ଜଲିଉଡ୍‌ର ଏହି ଆକ୍ସନ ଷ୍ଟାର।

Share