Categories: ଗଞ୍ଜାମ

ବାପ, ମା’ଙ୍କୁ ଆକ୍ରମଣ, ପୁଅ ଗିରଫ

ବ୍ରହ୍ମପୁର ଅଫିସ,୨୨ା୯-ବୃଦ୍ଧ ବାପ ଓ ମା’ଙ୍କୁ ଆକ୍ରମଣ କରିବା ସହ ତାଙ୍କ ପେନସନ ଟଙ୍କା ହଡପ ଅଭିଯୋଗରେ ସଦର ଥାନା ପୋଲିସ ପୁଅ ଶାନ୍ତନୁ କୁମାର ମିଶ୍ର (୩୫)ଙ୍କୁ ଗିରଫ କରିଛି । ନଂ.୨୪୨/୧୯ରେ ପୋଲିସ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରିଛି।
ପ୍ରକାଶ ଯେ, ନିମଖଣ୍ଡି ଚନ୍ଦ୍ରଶେଖର ନଗରରେ ରହୁଥିବା ଦେବରାଜ ମିଶ୍ର ଓ ସୁଷମା ମିଶ୍ରଙ୍କୁ ତାଙ୍କ ପୁଅ ସବୁବେଳେ ଟଙ୍କା ମାଗିବା ସହ ମାରପିଟ କରନ୍ତି। ଏପରିକି ଦେବରାଜଙ୍କୁ ମିଳୁଥିବା ପେନସନ ଟଙ୍କା ମଧ୍ୟ ତାଙ୍କ ପୁଅ ଶାନ୍ତନୁ ହେରଫେର କରନ୍ତି। ଶାନ୍ତନୁ ଗୋଟିଏ ପୁଅ ହୋଇଥିବାରୁ ବୃଦ୍ଧ ପିତା ମାତା ତା’ଙ୍କ ଠାରୁ ମାଡ ଖାଇ ମଧ୍ୟ ବାଧ୍ୟରେ ଚୁପ ହୋଇ ରହୁଥିଲେ। ତେବେ ଶୁକ୍ରବାର ରାତିରେ ଶାନ୍ତନୁ ମଦ ପିଇ ଘରେ ତାଙ୍କ ବାପାଙ୍କୁ ମରପିଟ କରିଥିଲେ। ମା ସୁଷମା ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଗାଳି ଗୁଳଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏପରିକି ଆସବାବପତ୍ର ଭାଙ୍ଗିବା ସହ ବାପା ଓ ମା’ଙ୍କୁ ଘର ଭିତରେ ରଖି କବାଟ ବନ୍ଦ କରି ଦେଇଥିଲେ। ଖବର ପାଇ ନିମଖଣ୍ଡି ଫାଣ୍ଡି ପୋଲିସ ପହଞ୍ଚି ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ଅଭିଯୋଗ କ୍ରମେ ପୋଲିସ ଶାନ୍ତନୁଙ୍କୁ ଗିରଫ କରିଥିଲା ବୋଲି କହିଛି।