Categories: ଖେଳ

ବାବରଙ୍କଠାରୁ ପଛରେ କୋହଲି

କରାଚୀ,୩୦।୯: ପାକିସ୍ତାନ ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜାମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୧୧ତମ ଶତକ ଲଗାଇବାରେ ଭାରତୀୟ ସେନସେଶନ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ଭାରତୀୟ ଅଧିନାୟକ କୋହଲିଙ୍କ କ୍ୟାରିୟରର ୮୨ତମ ଦିନିକିଆ ମ୍ୟାଚ୍‌ରେ ୧୧ତମ ଶତକ ଲଗାଇଥିଲେ। କିନ୍ତୁ ବାବର ୭୧ତମ ମ୍ୟାଚ୍‌ରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ତେବେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୧୧ ଶତକ ଲଗାଇବାରେ ବାବର ୩ୟ ଦ୍ରୁତତମ ବ୍ୟାଟ୍ସବ୍ୟାନ। ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ହାସିମ ଆମଲା ଶୀର୍ଷରେ ରହିଛନ୍ତି। ସେ ୬୪ତମ ମ୍ୟାଚ୍‌ରେ ୧୧ତମ ଶତକ ଲଗାଇଥିଲେ। ତାଙ୍କ ପଛକୁ ଆଉ ଜଣେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି’କକ୍‌ (୬୫) ରହିଛନ୍ତି। ଏଠାରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଆଜାମ ୧୧୫ ରନ୍‌ର ଇନିଂସ ଖେଳିଛନ୍ତି। ତାଙ୍କ ଇନିଂସ ଯୋଗୁ ପାକିସ୍ତାନ ଦଳ ଧାର୍ଯ୍ୟ ୫୦ ଓଭରରେ ୭ ଉଇକେଟ ହରାଇ ୩୦୫ ରନ୍‌ କରପାରିଥିଲା।

Share