‘ବାବା କା ଢାବା’କୁ ଚର୍ଚ୍ଚାକୁ ଆଣିଥିଲେ ଏହି ୟୁଟ୍ୟୁବର୍‌, ଏବେ ହେଉଛନ୍ତି ବଦ୍‌ନାମ: ଜାଣନ୍ତୁ କାହିଁକି

ଦକ୍ଷିଣ ଦିଲ୍ଲୀର ମାଲଭୀୟ ନଗର ସ୍ଥିତ ‘ବାବା କା ଢାବା’ ନିକଟରେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଲୋକେ ଏହି ଢାବାକୁ ଚଳାଉଥିବା ୮୦ ବର୍ଷୀୟ କାନ୍ତା ପ୍ରସାଦ ଏବଂ ସ୍ତ୍ରୀଙ୍କ ଦୁଃଖ କାହାଣୀ ଶୁଣି ତାଙ୍କୁ ସହାୟତାର ହାତ ବଢାଇଥିଲେ। ଏବେ କାନ୍ତା ପ୍ରସାଦ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିବା ୟୁଟ୍ୟୁବରଙ୍କ ନାଁରେ ଅର୍ଥ ହେରଫେର ଅଭିଯୋଗ ଆଣିଛନ୍ତି। ଗୌତମ ଓ୍ବାସନ ନାମକ ଜଣେ ୟୁଟ୍ୟୁବର୍‌ ଗତ ଅକ୍ଟୋବର ୭ରେ ନିଜ ୟୁଟ୍ୟୁବ ଚ୍ୟାନେଲ ଏବଂ ଫେସ୍‌ବୁକ୍‌ ପେଜ୍‌ରେ ‘ବାବା କା ଢାବା’ର ଏକ ଭିଡିଓ ଅପଲୋଡ୍‌ କରିଥିଲେ। ବୃଦ୍ଧ ଦମ୍ପତିଙ୍କୁ ସାହାଯ୍ୟ କରିବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ। ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଲା ଏବଂ ଲୋକମାନେ ଖାଦ୍ୟ ଖାଇବା ପାଇଁ ଦୂର ଦୂରାନ୍ତରୁ ଏଠାକୁ ଆସିବା ଆରମ୍ଭ କଲେ। ଏହାଦ୍ୱାରା ବୃଦ୍ଧ ଦମ୍ପତିଙ୍କ ବ୍ୟବସାୟ ବଢିଥିଲା। ଲୋକମାନେ ଢାବା ଚଳାଇବା ପାଇଁ ମଧ୍ୟ ଟଙ୍କା ଦାନ କରିଥିଲେ। ଭିଡିଓ ଭାଇରାଲ ହେବା ମାତ୍ରେ ‘ବାବା କା ଢାବା’ରେ ଏତେ ଭିଡ଼ ଜମା କରିବାକୁ ଲାଗିଲା ଯେ ଏହାକୁ ପରିଚାଳନା କରିବା କଷ୍ଟକର ହୋଇପଡିଥିଲା।
ମିଳିଥିବା ସୂଚନା ଅନୁଯାୟୀ, କାନ୍ତ ପ୍ରସାଦ ରବିବାର ଦିନ ମାଲଭୀୟ ନଗର ପୋଲିସ ଷ୍ଟେଶନରେ ଗୌରବଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଏଥିରେ ଦାନ ଅର୍ଥର ଅପବ୍ୟବହାର ଏବଂ ହସ୍ତାନ୍ତର ଅଭିଯୋଗ ହୋଇଛି। ତାଙ୍କ ଅଭିଯୋଗରେ କାନ୍ତ ପ୍ରସାଦ କହିଛନ୍ତି, ଭିଡିଓ ଭାଇରାଲ ହେବା ପରଠାରୁ ମୋତେ ମାତ୍ର ୨ ଲକ୍ଷ ଟଙ୍କା ଚେକ ମିଳିଛି। ଏବେ ଆଉ ବେପାର ଚାଲୁନାହିଁ। ଏହାପୂର୍ବରୁ ଗୋଟିଏ ଦିନରେ ୧୦ ହଜାର ରୋଜଗାର ହେଉଥିଲା। କିନ୍ତୁ ଏବେ ପୁଣି ବିକ୍ରୟ ହ୍ରାସ ପାଇଛି। ଗୌତମ ଏହି ଅଭିଯୋଗ ଉପରେ ନିଜ ମତ ରଖି କହିଛନ୍ତି ମୁଁ ସମସ୍ତ ଟଙ୍କା କାନ୍ତା ପ୍ରସାଦଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରିଦେଇଛି। ଏହାର କପି ମଧ୍ୟ ମୁଁ ରଖିଛି ବୋଲି ସେ କହିଛନ୍ତି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

Share