ବାମନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ, ୧୧ା୯: ଶ୍ରୀମନ୍ଦିର ରତ୍ନସିଂହାସନରେ ବୁଧବାର ମହାପ୍ରଭୁ ଶ୍ରୀଜଗନ୍ନାଥ ବାମନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅପୂର୍ବ ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ହୋଇଥିଲା। ଦ୍ୱିପହର ଧୂପ ବଢିବା ପରେ ମହାପ୍ରଭୁଙ୍କ ବାମନ ବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀଜଗନ୍ନାଥ ବାମନ ବେଶ, ଦେବୀ ସୁଭଦ୍ରା ସାଧାରଣ ବେଶ ଏବଂ ଶ୍ରୀବଳଭଦ୍ର ହାତରେ ଧନୁଶର ଧରି ରାଜ ବେଶରେ ସଜ୍ଜିତ ହୋଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଭୂଜ, ଶ୍ରୀପୟର ଓ ସ୍ବର୍ଣ୍ଣ କିରିଟୀରେ ଆଭୂଷିତ ହେବା ସହ ବାମ ହସ୍ତରେ ଛତା ଏବଂ ଡାହାଣ ହସ୍ତରେ କୁଶବଟୁ ଓ ଗଡୁ ଧାରଣ କରି ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ଦର୍ଶନ ଦେଇଥିଲେ।
ଏ ସଂକ୍ରାନ୍ତରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ବୟଂ ବିଷ୍ଣୁ। ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର ହେଉଛି ବାମନ ଅବତାର। ସତ୍ୟ ଯୁଗରେ ମହାପ୍ରଭୁ ଏହି ଅବତାରରେ ବଳି ରାଜାଙ୍କୁ ପାତାଳଗାମୀ କରିଥିଲେ। ଭଗବାନ ବିଷ୍ଣୁ ହେଉଛନ୍ତି ସ୍ବୟଂ ବାମନ। ଶ୍ରୀଜଗନ୍ନାଥ ରଥରେ ଥିବାବେଳେ ବାମନ ଭାବେ ତାଙ୍କୁ ବର୍ଣ୍ଣନା କରି କୁହାଯାଇଛି ‘ରଥେ ତୁ ବାମନଂ ଦୃଷ୍ଟା ପୁର୍ନଜନ୍ମ ନ ଲଭ୍ୟତେ’। ଏହି ବେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବାମନ ରୂପ ଧାରଣ କରୁଥିବାବେଳେ ଶ୍ରୀବଳଭଦ୍ର ଭଗବାନ ବଳି ରାଜା ରୂପେ ବିଭୂଷିତ ହୋଇଥାନ୍ତି।

Share