Categories: ଜାତୀୟ

ବାମପନ୍ଥୀଙ୍କ ଆନ୍ଦୋଳନ ଆଜି

ନୂଆଦିଲ୍ଲୀ,୧୯।୧୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ବିରୋଧ କରି ବାମପନ୍ଥୀ ଦଳଗୁଡ଼ିକ ଗୁରୁବାର ଦେଶବ୍ୟାପୀ ବିକ୍ଷୋଭ କରିବେ। ସିପିଆଇ, ସିପିଆଇ(ଏମ୍‌ଏଲ୍‌) ଲିବରେଶନ୍‌, ଏଆଇବିଏଫ୍‌ ଏବଂ ଆର୍‌ଏସ୍‌ପି ଏହି ଆନ୍ଦୋଳନରେ ସାମିଲ ହେବେ। ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏନେଇ ବୁଧବାର ବାମଦଳଗୁଡ଼ିକ ପକ୍ଷରୁ ଏକ ବିବୃତି ଜାରି କରିଛନ୍ତି। ସମ୍ବିଧାନରେ ନାଗରିକତ୍ୱ କୌଣସି ଧର୍ମ ସହିତ ସମ୍ପୃକ୍ତ ନୁହେଁ। ନାଗରିକତ୍ୱକୁ ଧର୍ମ ସହିତ ଯୋଡ଼ି ସରକାର ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ବିଷକୁ ବିସ୍ତାର କରୁଛନ୍ତି। ଏଥିଯୋଗୁ ଦେଶରେ ହିଂସା ଓ ଘୃଣା ବଢ଼ିବାରେ ଲାଗିଛି ବୋଲି ୟେଚୁରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କେନ୍ଦ୍ର ସରକାରଙ୍କ ଅସାମ୍ବିଧାନିକ ପଦକ୍ଷେପ ବିରୋଧରେ ହେବାକୁ ଥିବା ବିକ୍ଷୋଭରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ସମସ୍ତ ଜିଲା କମିଟିଗୁଡ଼ିକୁ ଆହ୍ବାନ ଦେଇଛନ୍ତି।

Share