Categories: ଅନୁଗୋଳ

ବାମୁର ରେଞ୍ଜ୍‌ରେ ୨୨ ହାତୀ: ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ

ବଇଣ୍ଡା, ୨୧।୧୧(ଡି.ଏନ.ଏ.) – ରେଢାଖୋଲ ବନଖଣ୍ଡରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ରେଞ୍ଜକୁ ବୁଧବାର ସକାଳେ ଚାଲି ଆସିଥିବା ୨୨ଟି ହାତୀ ବ୍ୟାପକ ଉପଦ୍ରବ ସୃଷ୍ଟି କରିଛନ୍ତି। ବଣିଆଦୋହଲି, କଦଳୀମୁଣ୍ଡା, ବଡ଼ରୋହିଲା, କସୁଣି, ଭୀମପୁର ଗ୍ରାମରେ ହାତୀପଲ ଘରଦ୍ୱାରା ଭାଙ୍ଗିଦେବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ବଣିଆଦୋହଲି ଗ୍ରାମର ଚାଷୀ। ଅଶୋକ ପ୍ରଧାନ, ମଣ୍ଟୁ ପ୍ରଧାନ, ଶେଷଦେବ ଦେହୁରୀ, ପ୍ରଶାନ୍ତ ପ୍ରଧାନ, ଯୁଧିଷ୍ଠିର ପ୍ରଧାନଙ୍କ ସମେତ ୨୦ ଜଣ ଚାଷୀଙ୍କ ୧୫ ଏକରରୁ ଊର୍ଦ୍ଧ୍ୱ ଜମିରେ ହୋଇଥିବା ଧାନ ଫସଲ ହାତୀପଲ ଦଳିଚକଟି ନଷ୍ଟ କରିଦେଇଛନ୍ତି। ସେହିପରି କଦଳୀମୁଣ୍ଡା ଗ୍ରାମର ସୁଶାନ୍ତ ବାବା ମଠର ଗୋଟିଏ ଘର ଭାଙ୍ଗି ଦେଇଛନ୍ତି। ହାତୀଙ୍କ ଏପରି ଉଗ୍ରରୂପରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ହାତୀପଲ ନିକଟ ଜଙ୍ଗଲରେ ଅଛନ୍ତି। ଫଳରେ ଖଳାରେ ଥିବା ଧାନର ସୁରକ୍ଷା ନେଇ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।
ସୂଚନାପାଇ ବନ କର୍ମଚାରୀ ପହଞ୍ଚତ୍ ଗ୍ରାମବାସୀଙ୍କ ସହାୟତାରେ ହାତୀପଲକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ତୁରନ୍ତ ବନ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡ଼ାଇବା ସହ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।