Categories: ଜାତୀୟ

ବାମ ସଙ୍ଗଠନ ଦଖଲରେ ଜେଏନ୍‌ୟୁ

ନୂଆଦିଲ୍ଲୀ,୧୭ା୯(ପି.ଟି.): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)କୁ ବାମପନ୍ଥୀ ଛାତ୍ର ସଙ୍ଗଠନଗୁଡ଼ିକ ଦଖଲ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ୪ ପ୍ରମୁଖ ପଦବୀରେ ଆଇଏଏସ୍‌ଏ, ଏସ୍‌ଏଫ୍‌ଆଇ, ଏଆଇଏସ୍‌ଏଫ୍‌ ଏବଂ ଡିଏସ୍‌ଏଫ୍‌କୁ ନେଇ ଗଠିତ ସଂଯୁକ୍ତ ମେଣ୍ଟ ସଫଳ ହୋଇଥିବା ମଙ୍ଗଳବାର ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରାଯାଇଛି।
ସଂଯୁକ୍ତ ମେଣ୍ଟର ସଭାପତି ପ୍ରାର୍ଥୀ ଆଇଶେ ଘୋଷ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ମନୀଷ୍‌ ଜାଙ୍ଗିଡ୍‌ଙ୍କୁ ପରାଜିତ କରିଛନ୍ତି। ଆଇଶେଙ୍କୁ ୨,୩୧୩ ଭୋଟ ମିଳିଥିବାବେଳେ ଜାଙ୍ଗିଡ୍‌ଙ୍କୁ ୧,୧୨୮ ଛାତ୍ରୀଛାତ୍ର ସମର୍ଥନ କରିଛନ୍ତି। ସେହିପରି ଉପସଭାପତି ପଦ ପାଇଁ ସଂଯୁକ୍ତ ମେଣ୍ଟର ସାକେତ ମୁନ୍‌ ୩,୩୬୫ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଏବିଭିପି ପ୍ରାର୍ଥୀ ଶ୍ରୁତି ଅଗ୍ନିହୋତ୍ରୀ ୧,୩୩୫ ଖଣ୍ଡ ଭୋଟ ପାଇ ହାରିଯାଇଛନ୍ତି। ସତୀଶ ଚନ୍ଦ୍ର ଯାଦବ ୨,୫୧୮ ଭୋଟ ପାଇ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ ସବରୀଶ ପିଏ ୧,୩୫୫ ଭୋଟ ସହ ପରାଜୟ ସ୍ବୀକାର କରିଛନ୍ତି। ୩,୨୯୫ ଭୋଟ ପାଇଥିବା ମହମ୍ମଦ ଦାନିଶ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇ ସୁମନ୍ତ କୁମାର ସାହୁଙ୍କୁ ହରାଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଜେଏନ୍‌ୟୁଏସ୍‌ୟୁ ନିର୍ବାଚନରେ ୫,୭୦୦ ଛାତ୍ରୀଛାତ୍ର ମତାଧିକାର ସାବ୍ୟସ୍ତ କରିଥିଲେ। ମତଦାନ ହାର ୬୭.୯% ଥିଲା, ଯାହାକି ୭ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି। ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି ପରେ ଏହି ନିର୍ବାଚନ ଫଳ ଘୋଷଣା କରାଯାଇଛି।

Share