ବାରଣ୍ଡାରେ ଚାଲିଛି ପାଠପଢ଼ା

ହାଟଡ଼ିହୀ, ୩୧।୭ (ଡି.ଏନ.ଏ.)-ସରକାର ଅଙ୍ଗନୱାଡ଼ି ପାଇଁ ଯୋଜନାମାନ କରି ସ୍ବାସ୍ଥ୍ୟ ପରିବେଶ ଓ ଉନ୍ନତ ମାନର ଗୃହ ପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି । ପ୍ରଶାସନର ଅବହେଳା ପାଇଁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବହୁ ଅଙ୍ଗନୱାଡ଼ିର ଗୃହ ନ ଥିବାରୁ ବାରଣ୍ଡା ଓ ଅସ୍ବାସ୍ଥ୍ୟକର ପରିବେଶରେ କେନ୍ଦ୍ର ଗୁଡ଼ିକ ଚାଲିଛି। ଯାହାଫଳରେ ସରକାରଙ୍କ ଯୋଜନା ବାଟବଣା ହୋଇଛି।
ଏଭଳି ଆଦିବାସୀ ବହୁଳ ଜଡ଼ାବାଙ୍କ ଅଙ୍ଗନୱାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳ ଡିଏମଏଫ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପରେ ଏହାର ସୁଧାର ଆସିବ ବୋଲି ଏ ଅଞ୍ଚଳର ଲୋକମାନେ ଭାବିଥିଲେ । କିନ୍ତୁ ଡିଏମଏଫ ଯୋଜନାର ଅର୍ଥ ଠିକ କାମରେ ଲାଗୁ ନ ଥିବା ଏଥିରୁ ଅନୁମେୟ । ଉକ୍ତ ଅଙ୍ଗନୱାଡ଼ିରେ ୪୫ ଛାତ୍ରୀଛାତ୍ର ଶିକ୍ଷାଦାନ କରୁଛନ୍ତି । କିଛିଦିନ ଅଙ୍ଗନୱାଡ଼ି କର୍ମୀଙ୍କ ଘର ବାରଣ୍ଡାରେ ଦୟନୀୟ ଅବସ୍ଥାରେ ଚାଲୁଥିବା ବେଳେ ଏବେ ଅସୁରକ୍ଷିତ ଆଜବେଷ୍ଟ ବିଦ୍ୟାଳୟ ଶ୍ରେଣୀଗୃହ ବାରଣ୍ଡାରେ ଶିକ୍ଷାଦାନ ଚାଲିଛି । ଉକ୍ତ ଘରଟିର କାନ୍ଥ ଓ ଘରର କାଠ ଭାଙ୍ଗି ଯାଇଛି । ସେହି ଅସୁରକ୍ଷିତ ଗୃହ ବାରଣ୍ଡାରେ କୋମଳମତୀ ଶିଶୁଙ୍କୁ ବସାଇ କାମଚଳା ଶିକ୍ଷାଦାନ ଚାଲିଛି । ମେଘ ହେଲେ କୋମଳମତୀ ଛାତ୍ରୀଛାତ୍ର ମାନେ ଚଟେଇ ଓ ପଟିକୁ ଧରିବା ସହିତ ବହି ସ୍ଲେଟକୁ ଧରି ଠିଆହୋଇ ରହିଥାନ୍ତି । ସୂଚନାରୁ ଜଣାଯାଇଛି ଯେ ୨୧୯ଟି ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୧୦୯ଟି କେନ୍ଦ୍ରର ନିଜସ୍ବ ଗୃହ ଅଛି । ୧୧୦ ଟି କେନ୍ଦ୍ରର ଗୃହ ନାହିଁ । ଏଥିମଧ୍ୟରୁ ୬୪ଟି କେନ୍ଦ୍ର ବିଭିନ୍ନ ବିଦ୍ୟାଳୟର ଶ୍ରେଣୀଗୃହ ଓ ବାରଣ୍ଡାରେ ଚାଲୁଛି। ୫ଟି କେନ୍ଦ୍ର ଅଙ୍ଗନୱାଡି ହେଲପରଙ୍କ ଘରେ ଚାଲିଛି । ୨୭ଟି କେନ୍ଦ୍ର ଅଙ୍ଗନୱାଡ଼ି କର୍ମୀଙ୍କ ଘରେ ଚାଲିଛି । ୧୪ ଟି କେନ୍ଦ୍ର ଅନ୍ୟାନ୍ୟ ସ୍ଥାନରେ ଚାଲିଛି । ଆଉ କେତେକ କେନ୍ଦ୍ର ଗଛମୂଳେ ଚାଲୁଥିବା ନଜରକୁ ଆସିଛି । ଘର ନ ଥିବାରୁ ପାନୀୟ ଜଳରେ ମଧ୍ୟ ସମସ୍ୟା ଦେଖାଦେଇଛି। ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବା ସହିତ ନୂତନ ଗୃହ ଯୋଗାଇଦେବାକୁ ଦାବି ହୋଇଛି।

Share