Categories: ଖେଳ

ବାରବାଟୀରେ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ

କଟକ ଅଫିସ,୧୪ା୧୨-
ବାରବାଟୀ ଷ୍ଟାଡିୟମରେ ଏକ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହେବାର ସମ୍ଭାବନା ଦୃଢ଼ୀଭୂତ ହୋଇଛି। ଆସନ୍ତା ମାର୍ଚ୍ଚରେ ଏଠାରେ ଭାରତ-ଦକ୍ଷିଣଆଫ୍ରିକା ଟେଷ୍ଟ ମ୍ୟାଚ୍‌ ଆୟୋଜନ କରିବା ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପ୍ରଚେଷ୍ଟା ଆରମ୍ଭ କରିଛି। ଏ ନେଇ ଓସିଏ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ ଚଳାଇଛି। ଆସନ୍ତା ୨୨ରେ ଏଠାରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇ କ୍ଷମତାଶାଳୀ କ୍ରୀଡ଼ା ସଙ୍ଗଠକଙ୍କ ଉପସ୍ଥିତି ପରେ ବାରବାଟୀରେ ଟେଷ୍ଟ ମ୍ୟାଚ ଆୟୋଜନ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ଓସିଏର ଜଣେ ଅଧିକାରୀ କହିଛନ୍ତି।
ଆସନ୍ତା ମାର୍ଚ୍ଚରେ ଦକ୍ଷିଣଆଫ୍ରିକା ଭାରତ ଗସ୍ତରେ ଆସି ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିବ। ଦକ୍ଷିଣଆଫ୍ରିକାର ଉକ୍ତ ଗସ୍ତରେ ଟେଷ୍ଟ ସିରିଜ ଯୋଡ଼ାଯିବାକୁ ଯୋଜନା ଚାଲିଛି। ଯାହାଦ୍ୱାରା ବାରବାଟୀରେ ଗୋଟିଏ ମ୍ୟାଚ୍‌ ଆୟୋଜନ କରାଯିବାକୁ ପ୍ରସ୍ତୁତ ହେଉଛି ଓସିଏ। ବାରବାଟୀରେ ମୋଟ୍‌ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳାଯାଇଛି। ୧୯୮୭ରେ ଶ୍ରୀଲଙ୍କା ବିପକ୍ଷରେ ଓ ୧୯୯୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଗୋଟିଏ ଲେଖାଏ ଟେଷ୍ଟ ମ୍ୟାଚ ବାରବାଟୀରେ ଖେଳିଛି। ଦୀର୍ଘ ୨୪ବର୍ଷର ବ୍ୟବଧାନ ପରେ ବାରବାଟୀରେ ପୁଣି ଥରେ ଟେଷ୍ଟ ମ୍ୟାଚ ଦେଖିବାକୁ ମିଳିବ। ଯାହା ରାଜ୍ୟର ଅଗଣିତ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର।

Share