ବାରବାଟୀ ଟିକେଟ ଜାଲିଆତି ଘଟଣାର ତଦନ୍ତ ହେବ, ଦର୍ଶକ ଭଲ ଅନୁଭୂତି ନେଇ ଫେରିଛନ୍ତି: ପୋଲିସ କମିଶନର

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): କଟକ ବାରବାଟୀରେ ରବିବାର ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ ଟିକେଟ ଜାଲିଆତି ଘଟଣାର ତଦନ୍ତ କରିବେ କଟକ ଡିସିପି ଅଖିଳେଶ୍ୱର ସିଂ। ଏଥିରେ ଯେଉଁମାନେ ସମ୍ପୃକ୍ତ ଥିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସେ କହିଲେ, ଏଥର ଦର୍ଶକ ଶାନ୍ତି ଶୃଙ୍ଖଳାରେ ମ୍ୟାଚ୍‌କୁ ଉପଭୋଗ କରି ଭଲ ଅନୁଭୂତି ନେଇ ଘରକୁ ଫେରିଛନ୍ତି। ହେଲେ ପୂର୍ବ ସମସ୍ୟାର ଯେପରି ପୁନରାବୃତ୍ତି ନ ହେବ ସେଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)କୁ କହିଥିଲୁ। କିନ୍ତୁ ମ୍ୟାଚ ସମୟରେ ପୁଣି ଦେଖିବାକୁ ମିଳିଥିଲା। ପିଇବା ପାଇଁ ପାଣି ନ ପାଇ ଦର୍ଶକ ହଇରାଣ ହେଲେ। ଏହାସହ ଖାଇବା ପାଇଁ ଖାଦ୍ୟ ନ ଥିଲା। ଏହି ସମସ୍ୟା ନଜରକୁ ଆସିବା ପରେ ପୋଲିସ ଲାଗିପଡି ସମାଧାନ କଲା। ଭବିଷ୍ୟତରେ ଯେପରି ଏହା ନ ଘଟିବ ତାହା ଆମେ ଓସିଏଠାରୁ ଆଶା କରିବୁ। ଅନ୍ୟପକ୍ଷରେ ଖେଳାଳିଙ୍କ ସୁରକ୍ଷା ପୂରାପୂରି କଡାକଡି କରାଯାଇଥିଲା। ପୋଲିସକୁ ୩ ଦିଗକୁ ଆଖି ଆଗରେ ରଖି ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ଖେଳାଳିଙ୍କ ସହ ଖେଳପ୍ରେମୀମାନେ ଫଟୋ ଓ ଅଟୋ ଗ୍ରାଫ ନେବା, କୌଣସି ପ୍ରକାର ଅସ୍ବାଭାବିକ ସ୍ଥିତି ନ ଉପୁଜିବା ଓ ଅତି ଉତ୍ସାହିତ ହୋଇ ଯେପରି ସମର୍ଥକ ତଥା ଖେଳପ୍ରେମୀମାନେ ଖେଳାଳି ରହୁଥିବା ହୋଟେଲରେ ନ ପଶିବେ ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଇଥିଲା। ଏପରି କି ଦୁଇ ଦେଶର ଟିମ୍‌ ଓ ମ୍ୟାନେଜମେଣ୍ଟ ଅନ୍ୟ ରାଜ୍ୟ ଅପେକ୍ଷା ଏଠାରେ ଭଲ ଥିବା କହିଥିଲେ କମିଶନର ଷଡ଼ଙ୍ଗୀ।

Share