Categories: ଖେଳ

ବାରବାଟୀ ଦିନିକିଆ ଆଉ ୨୧ ଦିନ ବରୁଣ-ଉମେଶଙ୍କ ସ୍ମରଣୀୟ ଭାଗୀଦାରି

କଟକ ଅଫିସ,୦୧।୧୧-
ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ୯ ଉଇକେଟ ହରାଇ ୨୧୧ରନ କରିଥିଲା। ବିଜୟଲକ୍ଷ୍ୟକୁ ପିଛା କରୁଥିବା ଭାରତ ୪୭ତମ ଓଭର ପ୍ରଥମ ବଲ୍‌ରେ ୯ମ ଉଇକେଟ ହରାଇଥିଲା। ଭାରତର ଦଳୀୟ ସ୍କୋର ଥିଲା ୨୦୧ରନ। ଅନ୍ତିମ ଯୋଡ଼ିରେ ଥାନ୍ତି ଦୁଇ ଦ୍ରୁତ ବୋଲର ବରୁଣ ଆରୋନ ଓ ଉମେଶ ଯାଦବ। ଭାରତ ନିମନ୍ତେ ବିଜୟ ଆଶା କ୍ଷୀଣ ହୋଇ ସାରିଥାଏ। ୪୯ତମ ଓଭରରେ ବୋଲିଂଭାର ପାଇଥିଲେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡାରେନ୍‌ ସାମି। ପ୍ରଥମ ବଲରେ ଉମେଶ ସିଙ୍ଗିଲ ନେବା ପରେ ଦ୍ୱିତୀୟ ବଲରେ ବରୁଣ ସ୍କୋୟାର ଲେଗରେ ଏକ ଚୌକା ମାରିଥିଲେ। ୩ୟ ବଲରେ ବରୁଣ ପଏଣ୍ଟ ଅଞ୍ଚଳକୁ ଏକ ଶଟ୍‌ ମାରିଥିଲେ। ଏଥିରେ ଦୁଇ ରନ ନେବା ସହଜ ଥିଲେ ମଧ୍ୟ ଗୋଟିଏ ରନ ନେବା ପରେ ଉମେଶ ଅଧାରୁ ବରୁଣଙ୍କୁ ଅଟକାଇ ଦେଇଥିଲେ। ଯାହା ଉପସ୍ଥିତ ଦର୍ଶକ ଓ ଉଭୟ ଦଳର ଖେଳାଳିଙ୍କୁ ଚକିତ କରିଥିଲା। ୪ର୍ଥ ବଲ ଡଟ୍‌ ହୋଇଥିଲା। ୫ମ ବଲରେ ବରୁଣ ମ୍ୟାଚ୍‌ ବିଜୟୀ ଚୌକା ମାରିଥିଲେ। ଗୋଟିଏ ଉଇକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିବା ଭାରତର ଏହି ସ୍ମରଣୀୟ ମ୍ୟାଚ୍‌ ୨୦୧୧ ମସିହା ନଭେମ୍ବର ୨୯ରେ ବାରବାଟୀରେ ଖେଳାଯାଇଥିଲା। ବାରବାଟୀ ସ୍ମୃତିରେ ବରୁଣ-ଉମେଶଙ୍କ ଏହି ମ୍ୟାଚ୍‌ ବିଜୟୀ ଭାଗିଦାରୀ ସବୁବେଳେ ସତେଜ ହୋଇ ରହିଛି। ଉକ୍ତ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ହରାଇ ୨୧୧ରନ କରିଥିବା ବେଳେ ଡାରେନ ବ୍ରାଭୋ ସର୍ବାଧିକ ୬୦ରନ କରିଥିଲେ। ଭାରତ ପକ୍ଷରୁ ଉମେଶ ଓ ବରୁଣ ୨ଟି ଲେଖାଏ ଉଇକେଟ ଦଖଲ କରିଥିଲେ। ଭାରତ ପକ୍ଷରୁ ବ୍ୟାଟିଂରେ ସର୍ବାଧିକ ରନ କରିଥିବା ରୋହିତ ଶର୍ମା(୭୨)ରନ ଏହି ମ୍ୟାଚ୍‌ରେ ମ୍ୟାନ ଅଫ ଦି ମ୍ୟାଚ୍‌ ହୋଇଥିଲେ।

Share