ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁ

ପବିତ୍ରନଗର,୧୨।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା କୁଲେଇ ଗ୍ରାମ୍ୟ ଜଙ୍ଗଲରେ ମଙ୍ଗଳବାର ସକାଳେ ଜଣେ କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁ ହୋଇଛି। ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ କେନ୍ଦୁପତ୍ର ତୋଳାଳି ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ମହିଳା ଜଣଙ୍କ ହେଉଛନ୍ତି କୁଲେଇ ଗ୍ରାମର ଚନ୍ଦ୍ରି ବେହେରା। ସୂଚନାଯୋଗ୍ୟ, ଚନ୍ଦ୍ରି ସକାଳୁ କେନ୍ଦୁପତ୍ର ସଂଗ୍ରହ ନିମନ୍ତେ ଗ୍ରାମ୍ୟ ଜଙ୍ଗଲର ମୋହନ ତଇଳାକୁ ଯାଇଥିଲେ। ଜଙ୍ଗଲ ସାରା ଶିକାର ପାଇଁ ବିଛାଯାଇଥିବା ବାରୁଆଁ ବିଦ୍ୟୁତ ସବ୍‌ଷ୍ଟେସନରୁ କାଦପଡା ଗ୍ରାମ ଆଡକୁ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚନ୍ଦ୍ରିଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ବନ୍ୟଜନ୍ତୁଙ୍କ ଶିକାର ଚାଲିଥିବା ବେଳେ ଜଙ୍ଗଲ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହୋଇଛି ।