ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି: ପଦଯାତ୍ରାରେ ଭୁବନେଶ୍ୱର ବାହାରିଲେ ସେବାୟତ

ବାରିପଦା ଅଫିସ,୧୯।୬: ମୟୂରଭଞ୍ଜ ଜିଲା ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ। ହେଲେ ସରକାରୀ ସ୍ତରରେ ଏହା ମାନ୍ୟତା ପାଇ ନାହିଁ। ସରକାରୀ ସ୍ତରରେ ଏହି ମାନ୍ୟତା ଦାବିନେଇ ବାରିପଦା ଜଗନ୍ନାଥ ମନ୍ଦିର ସେବାୟତ ତଥା ଠାକୁରଙ୍କ ଅଙ୍ଗ ସେବକ, ମନ୍ଦିର ସେବକ ଓ ରଥ ସେବକମାନେ ବୁଧବାର ସକାଳୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିି ବିଭିନ୍ନ ଦାବି ସମ୍ପର୍କରେ ଅବଗତ କରାଇବେ।
ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୫ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତରେ ଆସିଥିବା ବେଳେ ଜଗନ୍ନାଥ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ସେବାୟତମାନେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ତେବେ ସେତେବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ଥିବାରୁ ଭୁବନେଶ୍ୱର ଆସି ତାଙ୍କୁ ସାକ୍ଷାତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ବହୁ ଚେଷ୍ଟା ପରେ ମଧ୍ୟ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନ ପାରିବାରୁ ଏହି ପଦକ୍ଷେପ ନେଇଛନ୍ତି। ତେବେ ସେବାୟତମାନେ ଦୀର୍ଘ ଦିନ ପୂର୍ବରୁ ଏ ସମ୍ପର୍କରେ ଜିଲାପାଳ, ଉପଜିଲାପାଳ ଏବଂ ଅତିରିକ୍ତ ଜିଲାପାଳଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇଥିଲେ ।
ଅଣରାଜନୈତିକ ସଂଗଠନ ଭଞ୍ଜ ସେନାର ସଭାପତି ପିଣ୍ଟୁ ମାଇତି ଓ କର୍ମକର୍ତ୍ତା ସେବାୟତଙ୍କ ପଦଯାତ୍ରାକୁ ସମର୍ଥନକରି ସେମାନଙ୍କ ସହ ଅଳ୍ପ ବାଟ ପଦଯାତ୍ରା କରିଥିଲେ। ବାରିପଦା ସହରର ବିଭିନ୍ନ ଛକରେ ଜନସାଧାରଣ ସେବାୟତମାନଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

Share