ବାରିପଦାରେ ଶୀତ ବଢ଼ୁଛି

ବାରିପଦା ଅଫିସ,୨୧ା୧୨- ମୟୂରଭଞ୍ଜ ଜିଲା ବାରିପଦାରେ ଗତ ୨ ଦିନ ହେବ ଶୀତ ପ୍ରକୋପ ବଢ଼ିଛି। ପାଣି ପାଗ ବିଭାଗ ସୂଚନା ଅନୁଯାୟୀ ବୁଧବାର ଏଠାରେ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ଥିବା ବେଳେ ଗୁରୁବାର ଏହା ୧୧ ଡିଗ୍ରୀକୁ ଖସିଥିଲା। ଶୁକ୍ରବାର ଏହା ୧୦.୬ ଡିଗ୍ରୀ ସେଲସିୟସ ହୋଇଛି। ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏଠାରେ ଶୀତ ପ୍ରକୋପ ଲାଗି ରହିବ ବୋଲି ସ୍ଥାନୀୟ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଥଣ୍ଡା ବଢ଼ି ଥିବାରୁ ବିଭିନ୍ନ ସ୍ଥାନରେ ଲୋକେ ନିଆଁ ଜାଳି ବସୁଛନ୍ତି। ଅନ୍ୟପକ୍ଷେ ଶିମିଳିପାଳରେ ପ୍ରବଳଥଣ୍ଡା ଅନୁଭୂତ ହେଉଛି। ଗତବର୍ଷ ଏଠାରେ ତୁଷାରପାତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ତୁଷାରପାତ ହେବା ନେଇ ଅନୁମାନ କରାଯାଉଛି।