ବାରିପଦା ଆର୍‌ପିଏଫ୍‌ ଥାନାରେ ସିବିଆଇ ଟିମ୍‌: ଇନ୍ସପେକ୍ଟର ଓ କନେଷ୍ଟବଳ ଅଟକ

ବାରିପଦା ଅଫିସ,୨୮ା୮: ମୟୂରଭଞ୍ଜ ଜିଲା ବାରିପଦା ଆରପିଏଫ ଥାନାରେ ସିବିଆଇ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଚଢ଼ାଉ କରାଯାଇଛି । ୨ ଜଣ ଡ଼ିଏସପି ଓ ୭ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ୧୧ ଜଣ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି। ସିବିଆଇର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବାରିପଦା ରେଳ ଷ୍ଟେସନ ନିକଟରେ ତଥା ରେଳ ବିଭାଗର ଜାଗାରେ ବିଭିନ୍ନ ଦୋକାନ ସବୁ ବେଆଇନ ଭାବେ ରହିଛି । ଏହି ଦୋକାନୀମାନଙ୍କୁ ଉକ୍ତ ଥାନାର ଅଧିକାରୀ ଓ ଅନ୍ୟ ଦୁଇ ଜଣ କନେଷ୍ଟବଳ ଜୋର ଜବରଦସ୍ତ ଟଙ୍କା ଆଦାୟ କରନ୍ତି । ଦୋକାନୀମାନେ ଟଙ୍କା ଦେବାକୁ ମନା କରିଲେ ସମ୍ପୃକ୍ତ ଦୋକାନକୁ ଭାଙ୍ଗିବାକୁ ଧମକାଇଥାନ୍ତି। ଆଉ ପ୍ରତି ମାସରେ ଦୋକାନୀଙ୍କ ଠାରୁ ଟଙ୍କା ନିଅନ୍ତି । ଏ ନେଇ ଜଣେ ହୋଟେଲ ମାଲିକ ଜୟନ୍ତ କୁମାର ମହାନ୍ତି ମଙ୍ଗଳବାର ଭୁବନେଶ୍ୱର ସିବିଆଇ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପରେ ଯୋଜନା ମୁତାବକ ବୁଧବାର ଅପରାହ୍ନରେ ଏହି ଥାନାର ଜଣେ କନେଷ୍ଟବଳ ଥାନା ନିକଟରେ ମହାନ୍ତିଙ୍କଠାରୁ ୧୦ ହଜାର ଟଙ୍କା ନେଉଥିବା ବେଳେ ସିବିଆଇ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ପରେ ଥାନା କାର୍ଯ୍ୟାଳୟରେ ଅଧିକାରୀମାନେ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଜଣେ ଇନ୍ସପେକ୍ଟର ଓ ଜଣେ କନେଷ୍ଟବଳ ଅଟକ ଅଛନ୍ତି ଏବଂ ଅନ୍ୟ ଜଣେ କନେଷ୍ଟବଳଙ୍କୁ ସିବିଆଇ ଟିମ ଖୋଜୁଥିବା ଜଣାପଡ଼ିଛି ।

Share