Advertisement

ବାରିମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଡେରାବିଶ, ୨୫ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ବାରିମୂଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ବାରିମୂଳ ଆଦିବାସୀ ସାହିର ପାର୍ବତୀ ହେମ୍ବ୍ରମ୍‌(୪୨)।
ପରିବାରଙ୍କ ସୂଚନା ଅନୁଯାୟୀ, ସୋମବାର ପାର୍ବତୀ କାମ କରିବାକୁ ଯାଇଥିଲେ। ମାତ୍ର ଦିନ ୧୧ଟାରେ କାମ କରୁଥିବା ସ୍ଥାନରୁ କେଉଁଆଡ଼େ ପଳାଇଥିଲେ। ପରିବାର ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ପାର୍ବତୀଙ୍କୁ ପାଇ ନ ଥିଲେ। ତେବେ ମଙ୍ଗଳବାର ସକାଳୁ କେନ୍ଦ୍ରାପଡ଼ା-ଇନ୍ଦୁପୁର ରାସ୍ତା କଡ଼ରେ ଥିବା ଏକ ଗଛମୂଳେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ। ମୃତର କାରଣ ଜଣାପଡ଼ିନାହିଁ। ଖବର ପାଇ ସଦର ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପାର୍ବତୀଙ୍କ ପେଟରେ କିଛି ଦାଗ ରହିଥିବା ଦେଖିବାକୁ ମିଳିଛି।
ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଓ ଅତିରିକ୍ତ ତହସିଲଦାର କାହ୍ନୁ ଚରଣ ଲେଙ୍କା, ୧୩ ନଂ. ଜୋନ୍‌ ଜିଲା ପରିଷଦ ସଭ୍ୟା ଜବା ମୁର୍ମୁ, ସରପଞ୍ଚ ଶୁଦ୍ଧଦେବ ବେହେରା ପ୍ରମୁଖ ଘଟଣାସ୍ଥଳ ଅନୁଧ୍ୟାନ କରି ଫେରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel