Categories: ଖେଳ

ବାର୍ଟି ବର୍ଷର ଶ୍ରେଷ୍ଠ ମହିଳା ଟେନିସ ଖେଳାଳି

ଲସ୍‌ ଏଞ୍ଜେଲ୍ସ, ୧୨।୧୨ (ଏଏଫ୍‌ପି)- ଚଳିତ ସିଜନରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆର ମହିଳା ଟେନିସ ଖେଳାଳି ଆସଲେଇଘ ବାର୍ଟି ୨୦୧୯ ବର୍ଷ ଲାଗି ‘ଡବ୍ଲ୍ୟୁଟିଏ ପ୍ଲେୟାର ଅଫ୍‌ ଦି ଇୟର’ ବିବେଚିତ ହୋଇଛନ୍ତି। ଚଳିତ ବର୍ଷ ବାର୍ଟି ଫ୍ରେଞ୍ଚ୍‌ ଓପନ୍‌ ଜିତିବା ସହ ମହିଳା ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନ ମଧ୍ୟ ହାସଲ କରିଥିଲେ। ୧୯୭୬ ପରେ ପ୍ରଥମ ଅଷ୍ଟ୍ରେଲିଆ ଖେଳାଳି ଭାବେ ସେ ବିଶ୍ୱ ମାନ୍ୟତାର ଶୀର୍ଷ ସ୍ଥାନରେ ରହିବାର ସୌଭାଗ୍ୟ ପାଇଥିଲେ। ଶେଷଥର ପାଇଁ ୧୯୭୬ରେ ଅଷ୍ଟ୍ରେଲିଆର ଇଭୋନେ ଗୋଲଗଙ୍ଗ କାଓଲୀ ଏକ ନମ୍ବର ମାନ୍ୟତା ପାଇଥିଲେ। ମୋଟ୍‌ ୮୨ ପ୍ରତିଶତ ମିଡିଆ ଭୋଟ୍‌ ପାଇ ବାର୍ଟି ଚଳିତ ବର୍ଷ ଲାଗି ଶ୍ରେଷ୍ଠ ଡବ୍ଲ୍ୟୁଟିଏ ଖେଳାଳି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଫ୍ରେଞ୍ଚ୍‌ ଓପନ୍‌ ବ୍ୟତୀତ ବାର୍ଟି ବର୍ଷର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ଡବ୍ଲ୍ୟୁଟିଏ ଫାଇନାଲ୍ସରେ ମଧ୍ୟ ଚାମ୍ପିୟନ ହୋଇଥିଲେ। ଏଥିସହ ସେ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ଦ୍ୱିତୀୟ ସ୍ଥାନରେ ରହିଥିବା କାରୋଲିନା ପ୍ଲିସ୍କୋଭାଙ୍କଠାରୁ ସେ ଦୁଇ ହଜାର ପଏଣ୍ଟ ଅଧିକ ପାଇଛନ୍ତି। ୨୩ ବର୍ଷୀୟା ବାର୍ଟି ସିଜନ ଆରମ୍ଭରୁ ୧୫ତମ ସ୍ଥାନରେ ରହିଥିଲେ। ତାଙ୍କ କୋଚ୍‌ କ୍ରେଗ୍‌ ତାଇଜରଙ୍କୁ ବର୍ଷର ଶ୍ରେଷ୍ଠ ଡବ୍ଲ୍ୟୁଟିଏ କୋଚ୍‌ ଭାବେ ମନୋନୀତ କରାଯାଇଛି। ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ଦୌଡ଼ରେ ବାଏଙ୍କା ଆନ୍ଦ୍ରେସ୍କୁ, ସିମୋନା ହାଲେପ୍‌ ଓ ନାଓମି ଓସାକା ପ୍ରମୁଖ ରହିଥିଲେ।

Share