ପ୍ୟାରିସ, ୭।୬-ଚଳିତ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲ ଅଷ୍ଟ୍ରେଲିଆର ଆସ୍ଲେ ବାର୍ଟି ଏବଂ ଚେକ୍ ରିପବ୍ଲିକର ସ୍ବଳ୍ପ ବୟସ୍କା ମାର୍କେଟା ଭୋଣ୍ଡ୍ରୋସୋଭାଙ୍କ ମଧ୍ୟରେ ହେବ। ଶୁକ୍ରବାର ଅନୁଷ୍ଠିତ ଏକ ସେମିଫାଇନାଲ ମ୍ୟାଚରେ ବାର୍ଟି ଆମେରିକାର ୧୭ ବର୍ଷୀୟା ଆମାଣ୍ଡା ଆନିସିମୋଭାଙ୍କୁ ୬-୭ (୪-୭), ୬-୩, ୬-୩ ସେଟ୍ରେ ହରାଇ ଦେଇଛନ୍ତି। ଏହି ବିଜୟ ଦ୍ୱାରା ସେ ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିବାକୁ ଯାଉଛନ୍ତି। ଶନିବାର ଖେଳାଯିବାକୁ ଥିବା ଏହି ମ୍ୟାଚରେ ୨୩ ବର୍ଷୀୟ ବାର୍ଟି ଚେକ୍ ଖେଳାଳି ଭେଣ୍ଡ୍ରୋସୋଭାଙ୍କୁ ଭେଟିବେ। ଭୋଣ୍ଡ୍ରୋସୋଭା ଅନ୍ୟ ସେମିଫାଇନାଲରେ ଜୋହାନ କୋଣ୍ଟାଙ୍କୁ ୭-୫, ୭-୬ (୭-୨)ରେ ହରାଇ ଦେଇଛନ୍ତି। ୨୮ବର୍ଷୀୟ ବ୍ରିଟିଶ ଖେଳାଳି କୋଣ୍ଟା ପ୍ରଥମ ୩ ସେଟ୍ ପଏଣ୍ଟ କନଭର୍ଟ କରିବାରେ ବିଫଳ ହେବାରୁ ଏହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଅନ୍ୟପକ୍ଷରେ ଭୋଣ୍ଡ୍ରୋସୋଭା ଗୋଟିଏ ହେଲେ ସେଟ୍ ଡ୍ରପ୍ କରି ନ ଥିଲେ। ୨୦୦୭ରେ ସର୍ବିୟାର ଆନା ଇଭାନୋଭିଚ୍ଙ୍କ ପରେ ସ୍ବଳ୍ପ ବୟସ୍କା ଖେଳାଳି ହିସାବରେ ରୋଲାଣ୍ଡ ଗ୍ୟାରୋସଠାରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି।