ବାର୍ଷିକ ଉତ୍ସବରେ ଛାତ୍ରୀଛାତ୍ରଙ୍କ ପାଲା ପରିବେଷଣ

ସିମୁଳିଆ, ୧୬।୨(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଲୋକକଳାର ଚାହିଦା କମି ଆସୁଥିବା ବେଳେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଏହାକୁ ବଞ୍ଚାଇ ରଖିବାକୁ କରିଥିବା ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ମାର୍କୋଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ(ଏବିଇଓ) ଗଦାଧର ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ଯେନା, ବିଆର୍‌ଟି ବିଶ୍ୱମ୍ବର ପଣ୍ଡା, କବି ପଦ୍ମଲୋଚନ ଦାଶ, ଏବିଇଓ ଲମ୍ବୋଦର ସିଂ, ଭାରତ ସେବାନିଧି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂର୍ଯ୍ୟମଣୀ ବୋଇତି, ସିମୁଳିଆ କଲେଜର ଅଧ୍ୟାପକ ଗୋପବନ୍ଧୁ ମିଶ୍ର, ବେଣୁଧର ପାଢ଼ୀ ପ୍ରମୁଖ ଥିଲେ। ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ବେହେରା ଛାତ୍ରୀଛାତ୍ରମାନଙ୍କ ପାଇଁ ସ୍ଥାୟୀ ମଣ୍ଡପ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ସ୍ବପ୍ନାଞ୍ଜୟ ସାହୁ ଓ ଗଙ୍ଗାଦର ଯେନା ମାନପତ୍ର ପାଠ କରିଥିଲେ। ଶିକ୍ଷକ ବ୍ରଜକିଶୋର ବେହେରା ଓ ଅତିଥି ଶିକ୍ଷକ ନିଶାକର ବେହେରା କମେଡି ନାଟକ କରିଥିଲେ। ଶିକ୍ଷା ଓ କ୍ରୀଡ଼ାରେ କୃତୀ ଛାତ୍ରୀଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବ ଆରମ୍ଭରେ ଶହୀଦ ଯବାନମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ଓ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ବିଦ୍ୟାଳୟର ୮୨ଜଣ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାମୂହିକ ନୃତ୍ୟ, ପାଲା ‘ବ୍ରହ୍ମଚାରୀର ପୁତ୍ରଦାନ’ ଓ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ(ସିଆରସିସି)ଙ୍କ ନିର୍ଦ୍ଦେଶନାରେ ପୌରାଣିକ ସହିତ ସାମାଜିକର ସମ୍ମିଶ୍ରଣରେ ନାଟକ ‘ସୁଖ ସାତପର ଦୁଃଖ ନିଜର’ ମଞ୍ଚସ୍ଥ ହୋଇଥିଲା। ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବୋଇତି ମଞ୍ଚ ଆହ୍ବାନ, ଶିକ୍ଷୟିତ୍ରୀ ପୂର୍ଣ୍ଣିମା ପଣ୍ଡା ବାର୍ଷିକ ବିବରଣୀ ପାଠ ଓ ଶିକ୍ଷୟିତ୍ରୀ କଳ୍ପନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପୁରାତନ ଛାତ୍ର ସଂସଦ ଓ ପରିଚାଳନା କମିଟି ସହଯୋଗୀ ଥିଲେ।