ବାର୍‌ରେ ଚଢ଼ାଉ, ୧୦ ଯୁବତୀ ଉଦ୍ଧାର: ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜିନଗରସ୍ଥିତ ରଙ୍ଗିଲା ବାର୍‌ରେ ବୁଧବାର ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ୧୦ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ କଟକଣା ସତ୍ତ୍ୱେ ଉକ୍ତ ବାର୍‌ରେ ଡାନ୍ସ ଚାଲିଥିଲା। ଏନେ ଅଭିଯୋଗ ଆସିବା ପରେ ଜୋନ୍‌-୧ ଏସିପି ମାନସ ଗଡନାୟକଙ୍କ ନେତୃତ୍ୱରେ କ୍ୟାପିଟାଲ ଥାନା ପୋଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଚଢ଼ାଉ ସମୟରେ ଉକ୍ତ ବାର୍‌ରେ ନାଚଗୀତର ଆସର ଜମିଥିଲା। ଯୁବତୀମାନେ ନୃତ୍ୟ ପରିବେଷଣ କରୁଥିବାବେଳେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିଥିଲା। ତେବେ ପୋଲିସକୁ ଦେଖି ଗ୍ରାହକମାନେ ଛତ୍ରଭଙ୍ଗ ଦେଇଥିବାବେଳେ ସେଠାରୁ ୧୦ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ଶର୍ଟ ଷ୍ଟେ ହୋମ୍‌କୁ ପଠାଇ ଦିଆଯାଇଛି। ଗୁରୁବାର ଆଇନଗତ ବ୍ୟବସ୍ଥା ପରେ ସେମାନଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ। ସେହିଭଳି ବାର୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲାଇସେନ୍ସ ବିନା ଗୀତ ବଜାଉ ଥିବାରୁ ସହରାଞ୍ଚଳ ପୁଲିସ ଆଇନ ବଳରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ସହ ବାରକୁ ବନ୍ଦ କରାଯିବା ପାଇଁ ସରକାରଙ୍କୁ ଚିଠି ଲେଖାଯିବ ବୋଲି ଏସିପି ଗଡ଼ନାୟକ ସୂଚନା ଦେଇଛନ୍ତି।

Share