ବାର୍‌ହା ଫାଶରେ ପଡ଼ି ଯୁବକ ଗୁରୁତର

ଲୋଇସିଂହା,୬।୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସିଆଲବାହାଲି ଗାଁରେ ବିଛାଯାଇଥିବା ବାର୍‌ହା ଫାଶରେ ପଡ଼ି ଜଣେ ଯୁବକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ସେ ହେଲେ ସିଆଲବାହାଲି ଗାଁର ଭିକାରି ଧରୁଆ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଲୋଇସିଂହା ଥାନା ବୁର୍ଡା ପଞ୍ଚାୟତ ଅନ୍ତର୍ଗତ ସିଆଲବାହାଲି ଗାଁକୁ ଲାଗି ପଥରଗଡ଼ ଡ୍ୟାମ୍‌ ଓ ଜଙ୍ଗଲ ରହିଛି। ସନ୍ଧ୍ୟାହେଲେ ଡ୍ୟାମ୍‌ରୁ ବାର୍‌ହାପଲ ଖାଦ୍ୟ ଅନ୍ବେଷଣରେ ତଳି ଅଞ୍ଚଳକୁ ଆସୁଛନ୍ତି। ଗତ ୩ ଦିନହେଲା ସ୍ଥାନୀୟ ଅଞ୍ଚଳରେ ମଧ୍ୟ ରାତ୍ରିରୁ ବିଦ୍ୟୁତ୍‌ କାଟ୍‌ ହେଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସିଆଲବାହାଲି ଗାଁର ଭିକାରୀ ଧରୁଆ ଘରକୁ ଯାଉଥିବାବେଳେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଗୁରୁବାର ଡାକ୍ତର ବୁର୍ଲା ସ୍ଥାନାନ୍ତର କରିଥିବା ଜଣାଯାଇଛି। ଏ ସମ୍ପର୍କରେ ଡିଏଫ୍‌ଓ ସମୀର କୁମାର ଶତପଥୀଙ୍କୁ ପଚାରିବାରୁ, ମୋ ପାଖରେ ଖବର ନାହିଁ। ପଚାରି ବୁଝିବା ବୋଲି କହିଥିଲେ। ଏ ଦିଗରେ ପୋଲିସ ଓ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

Share