ବାର୍‌ହା ମାରି ମାଂସ ଭାଗ ସମୟରେ ଚଢାଉ: କଟା ମାଂସ, ୨ ବାଇକ୍‌ ଜବତ

ସୋନପୁର,୩୦।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଲଛିପୁର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୟୂରଉଡାନ ଗ୍ରାମ୍ୟ ଜଙ୍ଗଲ ଅଞ୍ଚଳରୁ ବନ ବିଭାଗ ଗୁରୁବାର ୮ କିଲୋ ବାର୍‌ହା ମାଂସ ଜବତ କରିଛି। କେତେକ ଲୋକ ବାର୍‌ହା ମାରି ମାଂସ ଭାଗ କରୁଥିଲେ। ସୂଚନା ପାଇ ଲଛିପୁର ବନପାଳ ବାବାଜୀ ନାଏକଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀମାନେ ଚଢାଉ କରିଥିଲେ। ବନ ବିଭାଗର ଗାଡି ଦେଖି ଅଭିଯୁକ୍ତମାନେ ବାଇକ୍‌, କଟା ମାଂସ ଓ ମୋବାଇଲ ଛାଡି ଫେରାର ହୋଇଯାଇଥିଲେ। କର୍ମଚାରୀମାନେ ଘଟଣାସ୍ଥଳରୁ ବାର୍‌ହା ମୁଣ୍ଡ, ୮ କିଲୋ ମାଂସ, ୨ଟି ବାଇକ୍‌ ନଂ ଓଆର୦୩ଏଚ-୫୦୫୯ ଓ ଓଡି୩୧ଏ-୦୬୦୮, ଗୋଟିଏ କମ୍ପ୍ୟୁଟର ଓଜନ ମେଶିନ, ବଟକରା, ୨ଟି ଟାଙ୍ଗିଆ, ୨ଟି ଛୁରି, ୨ଟି କଟୁରି, ୨ଟି ପନଖି ଏବଂ ଗୋଟିଏ ମୋବାଇଲ ଜବତ କରିଛନ୍ତି। ବନ ବିଭାଗ ଜବତ ମାଂସକୁ ସୋନପୁର ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ। ସଂଗ୍ରହ କରାଯାଇଥିବା ମାଂସ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଓଡିଶା ପ୍ରାଣୀ ମହାବିଦ୍ୟାଳୟ(ବନ୍ୟ ଜନ୍ତୁ ସ୍ବାସ୍ଥ୍ୟ)କୁ ପଠାଯିବ। ମାଂସ ଓ ମୁଣ୍ଡକୁ ଗାତଖୋଳି ବନ ବିଭାଗର ନର୍ସରୀରେ ପୋତି ଦିଆଯାଇଛି। ବାର୍‌ହାଟି ୨ ବର୍ଷର ହୋଇଥିବା ବେଳେ ବାଟହୁଡି ଜଙ୍ଗଲ ଭିତରୁ ଚାଲି ଆସିଥିଲା। କୁକୁର ଲଗାଇ କେତେକ ଲୋକ ତାକୁ ମାରିଥିବା ଅନୁମାନ କରାଯାଉଛି। ସୋନପୁର ବନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

Share