ବାର୍‌ହା ଶିକାରୀ ଗିରଫ: ମାଂସ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ

ଛେଣ୍ଡିପଦା,୨।୧୨(ସ୍ବ.ପ୍ର.) : ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଜାମୁଣ୍ଡା ବିଟ ବଅଁରଡିହ ଅଞ୍ଚଳରୁ ରବିବାର ରାତିରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଜଣେ ଶିକାରୀଙ୍କୁ ଗିରଫ କରାଯିବା ସହିତ ତାଙ୍କଠାରୁ ୫ କିଗ୍ରା ମାଂସ, ଶିକାରରେ ବ୍ୟବହୃତ ଜିଆଇ ତାର ଓ ଟାଙ୍ଗିଆ ଜବତ କରାଯାଇଛି। ଶିକାରୀ ଜଣଙ୍କ ହେଲେ ବଡ଼କେରେଜେଙ୍ଗ ପଞ୍ଚାୟତ ବଅଁରଡିହ ଗ୍ରାମର ଭାସ୍କର ଦେହୁରୀଙ୍କ ପୁଅ ବିରଞ୍ଚି(୩୫)।
ବନ ବିଭାଗ ସୂତ୍ରରୁ ପ୍ରକାଶ, ଜାମୁଣ୍ଡା ବିଟର ବଅଁରଡିହ ଗ୍ରାମରେ ବାର୍‌ହା ଶିକାର ହୋଇଥିବା ଖବର ପାଇ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ମନମୋହନ ସ୍ବାଇଁ ଓ ଫରେଷ୍ଟର ପ୍ରୀତିରେଖା ଦେହୁରୀ ପ୍ରମୁଖ ଚଢ଼ାଉ କରିଥିଲେ। ଏହି ଗ୍ରାମର ବିରଞ୍ଚି ନିକଟସ୍ଥ ଗୁରୁଡିହା ଜଙ୍ଗଲରୁ ଜିଆଇ ତାରରେ ଫାଶ ବସାଇ ବାର୍‌ହା ଶିକାର କରି ଏକ ବ୍ୟାଗରେ ମାଂସ ଓ ମୁଣ୍ଡ ନେଇ ଆସୁଥିବା ବେଳେ ବନ ବିଭାଗ ତାଙ୍କୁ ଗିରଫ କରିଛି। ଏ ନେଇ ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ମାମଲା ରୁଜୁ କରାଯିବା ସହିତ ଘଟଣାର ତଦନ୍ତ ଜାରି ରହିଛି ବୋଲି ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି ।