Categories: ଜାତୀୟ

ବାର୍‌ କାଉନ୍‌ସିଲ ଗଲା ହିନ୍ଦୁ ମହାସଭା

ନୂଆଦିଲ୍ଲୀ,୧୮-୧୦(ପି.ଟି.):ଅଯୋଧ୍ୟା ମାମଲା ଶୁଣାଣିର ଶେଷଦିନରେ ରାମଙ୍କ ଜନ୍ମସ୍ଥାନ ରହିଥିବା ମ୍ୟାପ୍‌କୁ ଚିରିଦେଇଥିବା ମୁସ୍‌ଲିମ ପକ୍ଷ ଓକିଲ ରାଜୀବ ଧଓ୍ବନଙ୍କ ବିରୋଧରେ ହିନ୍ଦୁ ମହାସଭା ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ)ର ଦ୍ୱାରସ୍ଥ ହୋଇଛି। ରାଜୀବଙ୍କ ଏଭଳି କାର୍ଯ୍ୟକୁ ସଙ୍ଗଠନ ପକ୍ଷରୁ ଦୃଢ଼ନିନ୍ଦା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ବୁଧବାର ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ଜମି ବିବାଦ ମାମଲାର ବିଚାର ସରିଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ୪୦ ଦିନ ଧରି ଏହାର ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣିର ଶେଷଦିନରେ ହିନ୍ଦୁ ମହାସଭା ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ ରାମଙ୍କ ଜନ୍ମସ୍ଥାନ ଚିହ୍ନିତ ଏକ ମାନଚିତ୍ରକୁ ପ୍ରମାଣ ସ୍ବରୂପ ଅଦାଲତରେ ଦାଖଲ କରିଥିଲେ। ସୁନ୍ନି ଓ୍ବାକଫ୍‌ ବୋର୍ଡ ଓ ଅନ୍ୟ ମୁସ୍‌ଲିମ ପକ୍ଷଗୁଡ଼ିକର ଓକିଲ ରାଜୀବ ଧଓ୍ବନ ଉକ୍ତ ମ୍ୟାପ୍‌କୁ ଚିରି ଦେଇଥିଲେ। କୋର୍ଟରୁମ୍‌ ଭିତରେ ତାଙ୍କର ଏଭଳି ଆଚରଣକୁ ନେଇ ସମସ୍ତେ ଚକିତ ହୋଇଯାଇଥିଲେ। ଏପରି କାର୍ଯ୍ୟ ଚଳିବ ନାହିଁ ବୋଲି ସିଜେଆଇ ରଞ୍ଜନ ଗୋଗୋଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏନେଇ ଅଖିଳ ଭାରତ ହିନ୍ଦୁ ମହାସଭା (ଏଆଇଏଚ୍‌ଏମ୍‌) ଗୁରୁବାର ବିସିଆଇ ନିକଟକୁ ଏକ ପତ୍ର ଲେଖିଛି। ରାଜୀବ ଜଣେ ବରିଷ୍ଠ ଆଇନଜୀବୀ ହୋଇ ଅଦାଲତ ଭିତରେ ମ୍ୟାପ୍‌କୁ ଚିରିଦେବା ଅତ୍ୟନ୍ତ ନିନ୍ଦନୀୟ। ତାଙ୍କ ବିରୋଧରେ ଆଇନାନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏଆଇଏଚ୍‌ଏମ୍‌ ମୁଖପାତ୍ର ପ୍ରମୋଦ ପଣ୍ଡିତ ଜୋଷୀ ଏଥିରେ ଉଲ୍ଲେଖ କରିଛନ୍ତି।

Share