ବାର ଅନୁଯାୟୀ ଖୋଲିବ ବଜାର

ଅନୁଗୋଳ ଅଫିସ, ୨୨।୪ – ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ପାଳନ କରାଯାଉଛି। ଲକ୍‌ଡାଉନ୍‌ ପରଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହୁଛି। ତେବେ କଟକଣାରେ ସାମାନ୍ୟ କୋହଳ କରାଯାଇଥିବାରୁ ଏବେ ବାର ଅନୁଯାୟୀ ବଜାରରେ ଥିବା ଅନ୍ୟ ଦୋକାନଗୁଡ଼ିକ ଖୋଲା ରହିବ। ପୂର୍ବରୁ ପନିପରିବା, ଫଳ, ତେଜରାତି ସାମଗ୍ରୀ, କ୍ଷୀର, ମାଛ ଓ ମାଂସ ଦୋକାନ ଖୋଲା ରହୁଥିବା ବେଳେ ଆଗାମୀ ଦିନରେ ବହି, ହାର୍ଡଓ୍ବେର, ଇଲେକ୍ଟ୍ରି ଦୋକାନ ଆଦି ଖୋଲାଯିବ। ପୂର୍ବ ନିର୍ଦ୍ଧାରିତ ସମୟ ଯଥା ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଲୋକେ ସାମାଜିକ ଦୂରତ୍ୱ ରଖି ଓ ମାସ୍କ ପିନ୍ଧି ସାମଗ୍ରୀ କିଣାକିଣି କରିପାରିବେ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ଜିଲାପାଳ କହିଛନ୍ତି ଯେ, ପୂର୍ବଭଳି କେବଳ ଔଷଧ ଦୋକାନ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବ। ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକ କେବଳ ପାର୍ସଲ ସହ ହୋମ୍‌ ଡେଲିଭରି କରିପାରିବେ। ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ ଓ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ ରହିବ। ସରକାରଙ୍କ ପରିବର୍ତ୍ତିତ ନିର୍ଦ୍ଦେଶନାମା ଅନୁଯାୟୀ ରାଜସ୍ବ ବିଭାଗ ସମେତ କରୋନା ପାଇଁ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀ ନିୟମିତ କାର୍ଯ୍ୟାଳୟକୁ ଆସିବେ। ସବ୍‌ ରେଜିଷ୍ଟାରଙ୍କ କାର୍ଯ୍ୟାଳୟ ଖୋଲା ରହିବ। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ପାଳନ ସହ ରୁରାଲ୍‌ ହାଉସିଂ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା, ସ୍ବଚ୍ଛ ଭାରତ ଯୋଜନା, ପାନୀୟ ଜଳ ଓ ଉଠା ଜଳସେଚନ ଆଦି କାର୍ଯ୍ୟ ଚାଲୁ ରହିବ। ଗ୍ରାମାଞ୍ଚଳ ରାସ୍ତା, ରାଜପଥ ଓ ରେଳପଥ ନିର୍ମାଣ ଚାଲିବ। ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ କେବଳ ସେହି ଅଞ୍ଚଳର କିମ୍ବା କ୍ୟାମ୍ପରେ ଥିବା ଶ୍ରମିକମାନଙ୍କ ଦ୍ୱାରା କରାଯିବ। ବିଭିନ୍ନ ତହସିଲ ଅନ୍ତର୍ଗତ ବାଲିଘାଟ, କ୍ରଶର ୟୁନିଟ ଓ ପଥର ଖଣି କାର୍ଯ୍ୟ ଚାଲୁ ରହିବ। ରବିବାର ଓ ବୁଧବାର ବହି ଦୋକାନ, ସୋମବାର ଓ ଶୁକ୍ରବାର ହାର୍ଡଓ୍ବେର ଷ୍ଟୋର, ମଙ୍ଗଳ ଓ ଶନିବାର ଇଲେକ୍ଟି ସାମଗ୍ରୀ ଦୋକାନଗୁଡ଼ିକ ଖୋଲାଯିବ। ଯେଉଁମାନେ ନିୟମାବଳୀର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ମହାନ୍ତି ପ୍ରକାଶ କରିଛନ୍ତି।

Share