ବାଲାକୋଟରେ ପୁଣି ସକ୍ରିୟ ହେଲା ଜୈଶ-ଇ-ମହମ୍ମଦ: ୪୦ରୁ ୫୦ ଆତ୍ମଘାତୀ ଆତଙ୍କବାଦୀ ନେଉଛନ୍ତି ପ୍ରଶିକ୍ଷଣ

ଇସ୍‌ଲାମାବାଦ୍‌,୧୪।୧୦: ପାକିସ୍ତାନ ବାଲାକୋଟରେ ପୁଣି ଥରେ ଆତଙ୍କବାଦୀ ସକ୍ରିୟ ହୋଇଥିବା ଜଣାପଡ଼ିଛି। ଜୈଶ-ଇ-ମହମ୍ମଦର ୪୦ରୁ ୫୦ ଆତ୍ମଘାତୀ ଆତଙ୍କବାଦୀ ସେଠାରେ ପ୍ରଶିକ୍ଷଣ ନେଉଥିବା ଭାରତୀୟ ଗୁଇନ୍ଦା ବିଭାଗରୁ ସୂଚନା ମିଳିଛି। ଏଥିରେ ଫିଦାୟିନ ଆତଙ୍କବାଦୀ ମଧ୍ୟ ସାମିଲ ରହିଛନ୍ତି। ବାଲାକୋଟରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣର ପ୍ରାୟ ୬ମାସ ପରେ ଜୈଶ-ଇ-ମହମ୍ମଦ ସମେତ ଅନ୍ୟ ଆତଙ୍କବାଦୀ ସଂଗଠନ ଆତ୍ମଘାତୀଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଛି। ଭାରତ ବିରୋଧରେ ପାକିସ୍ତାନ ଲଗାତାର ଭାବେ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। କିଛି ଦିନ ପୂର୍ବରୁ ପାକିସ୍ତାନ ଭାରତ ସୀମାରେ ପ୍ରାୟ ୪ହଜାର ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଛି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଏହାପରେ ଭାରତୀୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏଲଓସିରେ ଆଲର୍ଟ ଜାରି କରାଯାଇଥିଲା। ପାକିସ୍ତାନ ସେନା ଓ ଜମାତ-ଉଲ୍‌-ଅଲ୍‌-ହଦିଶ ସଂଗଠନ ୩ରୁ ୪ ହଜାର ପ୍ରଶିକ୍ଷଣ ପ୍ରାପ୍ତ ଯୁବକଙ୍କୁ ଅକ୍ଟୋବର ପ୍ରଥମ ସପ୍ତାହରେ ଏଲ୍‌ଓସିରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଏହି ଆତଙ୍କବାଦୀଙ୍କୁ ଗତ ଏକ ମାସରୁ ପ୍ରଶିକ୍ଷଣ ଦିଆଯାଉଥିବା ସୂଚନା ମିଳିଛି।

Share