Categories: ଜାତୀୟ

ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ରକୋଡ ଓ୍ବାର୍ଡ ଥିଲା ‘ଅପରେଶନ୍‌ ବନ୍ଦର’

ନୂଆଦିଲ୍ଲୀ,୨୨ା୬: ପୁଲ୍‌ଓ୍ବାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ସିଆରପିଏଫ୍‌ ଯବାନ ଶହୀଦ ହେବା ପରେ ସୀମା ଆରପଟେ ଥିବା ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳକୁ ଧ୍ୱଂସ କରିବା ଲାଗି ଭାରତୀୟ ବାୟୁସେନା ଫେବୃୟାରୀ ୨୬ରେ ବାଲାକୋଟ୍‌ରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ଏଥିରେ ବାୟୁସେନାର ୧୨ଟି ଲଢ଼ୁଆ ବିମାନ ମିରାଜ୨୦୦୦ ନିୟୋଜିତ ହୋଇଥିଲେ। ଗୋପନୀୟତା ରକ୍ଷା ଲାଗି ଉକ୍ତ କାର୍ଯ୍ୟାନୁଷ୍ଠାନର ସାଙ୍କେତିକ ନାଁ ‘ଅପରେଶନ ବନ୍ଦର(ମାଙ୍କଡ)’ ରଖାଯାଇଥିଲା ବୋଲି ଜଣାପଡିଛି। ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପୂର୍ବରୁ ଯେପରି କୌଣସି ସୁରାକ ନ ମିଳିବ ସେଥିପାଇଁ ଏଭଳି ନାମକରଣ କରାଯାଇଥିଲା ବୋଲି ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନାମକରଣ ପଛର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ସବିଶେଷ ତଥ୍ୟ ନ ଦେଇ ସେ କହିଛନ୍ତି, ଭାରତୀୟ ଯୁଦ୍ଧ ସଂସ୍କୃତିରେ ବାନରମାନେ ସ୍ବତନ୍ତ୍ର ସ୍ଥାନ ନେଇଛନ୍ତି। ରାମାୟଣରେ ହନୁମାନ ଭଗବାନ ରାମଙ୍କ ମୁଖ୍ୟ ସହଯୋଗୀ ଥିଲେ ଓ ଲଙ୍କାରେ ପ୍ରବେଶ କରି ଏହାକୁ ଧ୍ୱଂସ କରିଦେଇଥିଲେ ବୋଲି ସେ କହିଛନ୍ତି। ୨୬ ତାରିଖ ରାତି ସାଢ଼େ ୩ଟାରେ ବାୟୁସେନା ପାଇଲଟ ବାଲାକୋଟ୍‌ରେ ପ୍ରବେଶ କରିଥିଲେ। ସେମାନେ ମିରାଜ ଯୁଦ୍ଧବିମାନରୁ ୫ଟି ସ୍ପାଇସ୍‌୨୦୦୦ ବୋମା ନିକ୍ଷେପ କରି ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିଦେଇଥିଲେ।

Share