ବାଲାକୋଟ ଷ୍ଟ୍ରାଇକ୍‌ ଏବଂ ଏଫ୍‌ଏଟିଏଫ୍‌ ଭୟ: ପିଓକେରେ ୧୧ ଆତଙ୍କବାଦୀ ଶିବିର ବନ୍ଦ

ଇସଲାମାବାଦ୍‌,୧୦।୬: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ଏବଂ ଫାଇନାନ୍ସିଆଲ ଆକ୍ସନ୍‌ ଟ୍ୟାକ୍ସ୍‌ ଫୋର୍ସ(ଏଫ୍‌ଏଟିଏଫ୍‌) ଭୟ ପାକିସ୍ତାନକୁ ଘାରିଛି। ତେଣୁ ଗତ କିଛିମାସ ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଚାଲିଥିବା ୧୧ ଆତଙ୍କବାଦୀ ତାଲିମ୍‌ ଶିବିରକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ବନ୍ଦ କରିଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ଏଫ୍‌ଏଟିଏଫ୍‌ର ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଏଭଳି ଅଭିନୟ କରୁଥିବା କୁହାଯାଉଛି। ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ଆତଙ୍କବାଦୀ କାର୍ଯ୍ୟକଳାପ ଦୃଷ୍ଟିକୋଣରୁ ଅନେକ ପୂର୍ବରୁ ଗ୍ରେ ତାଲିକା ଭୁକ୍ତ କରିସାରିଛି। ବନ୍ଦ ହୋଇଥିବା ଆତଙ୍କବାଦୀ ଶିବିର ମଧ୍ୟରେ ଲଶ୍କର-ଇ-ତୋଏବା ଏବଂ ହିଜିବୁଲ୍‌ ମୁଜାହିଦ୍ଦିନ୍‌ର କୋଟଲୀ ଏବଂ ନିକିୟାଲ ସ୍ଥିତ ଶିବିର ରହିଛି। ଏହା ଭାରତର ସୁନ୍ଦରବାଣୀ ଏବଂ ରାଜୌରୀ ସେକ୍ଟର ନିକଟରେ ଥିବା କୁହାଯାଉଛି। ସେହିପରି ବାଘ୍‌ ଏବଂ ପାଲାଠାରେ ଥିବା ଜୈଶ୍‌-ଇ-ମହମ୍ମଦ୍‌ ଶିବିରକୁ ମଧ୍ୟ ବନ୍ଦ କରାଯାଇଛି। ଏଠାକାର ମୁଜାଫରାବାଦ୍‌-ମୀର୍‌ପୁରଠାରେ ଥିବା ଲଶ୍କର-ଇ-ତୋଏବା ଏବଂ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର ଶିବିରକୁ ବନ୍ଦ କରାଯାଇଥିବା କୁହାଯାଉଛି।

Share