ଭଞ୍ଜନଗର,୬।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୁଣ୍ଡିରିବାଡ଼ି ପଞ୍ଚାୟତ ଗୋହିରିବାଡ଼ିର ଏକ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି) ନାମରେ ଥିବା ଆକାଉଣ୍ଟର ବାଲାନ୍ସ ଜାଣିବାକୁ ୭ ମହିଳା ୧୮ କିମି ଚାଲିଚାଲି ମଙ୍ଗଳବାର ସକାଳେ ଭଞ୍ଜନଗର ଆଇଓବି ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କ କାମ ସରିବା ପରେ ମହିଳାମାନେ ଭୋକରେ ପୁଣି ୧୮ କିମି ଚାଲିଚାଲି ଗ୍ରାମକୁ ଫେରିଥିଲେ। କେବଳ ବାଲାନ୍ସ ଜାଣିବା ପାଇଁ ଏହି ମହିଳାମାନେ ୩୬ କିମି ଚାଲିଛନ୍ତି। ଲକ୍ଡ଼ାଉନ ଯୋଗୁ ଗାଡି ଚଳାଚଳ ବନ୍ଦ ଯୋଗୁ ବହୁ ହିତାଧିକାରୀ ଏହିଭଳି ଚାଲିଚାଲି ଭଞ୍ଜନଗରର ବିଭିନ୍ନ ବ୍ୟାଙ୍କକୁ ଆସୁଛନ୍ତି। ପ୍ରତି ପଞ୍ଚାୟତସ୍ତରରେ ବ୍ୟାଙ୍କ ଖୋଲିବା ନେଇ ସରକାର ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନାହିଁ। କିଛିବର୍ଷ ପୁର୍ବରୁ ଆଇଓବି ବ୍ୟାଙ୍କଟି ମୁଜାଗଡ଼ରୁ ଭଞ୍ଜନଗର ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଅଞ୍ଚଳର ଲୋକେ ଏବେ ବାଧ୍ୟ ହୋଇ ଭଞ୍ଜନଗରରେ ଥିବା ବ୍ୟାଙ୍କକୁ ଆସୁଛନ୍ତି। ଏହିଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଖରେ କିଭଳି ବ୍ୟାଙ୍କ ସେବା ପହଞ୍ଚତ୍ପାରିବ ସେନେଇ ଯୋଜନା କରାଯାଉ ବୋଲି ସମ୍ପୃକ୍ତ ମହିଳାମାନେ କହିଛନ୍ତି।