ମୁମ୍ବାଇ,୮।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗୋଟିଏ ପଟେ ଶୁକ୍ରବାର ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଶିବସେନା ତା’ ଜିଦ୍ରେ ଅଡି ବସିଛି। ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟକୁ ନେଇ ଏପର୍ଯ୍ୟନ୍ତ ଚାଲିଛି ଟଣା ଓଟରା। ଗୋଟିଏ ପଟେ ଭାଜପା ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଚାହିଁ ବସିଥିବା ବେଳେ ଅନ୍ୟପଟେ ଶିବସେନା ମଧ୍ୟ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବ ବୋଲି ଅଡି ବସିଛି। ଏବେ ଉଭୟ ପରସ୍ପରର ଦୋଷ ବାହାର କରିବାରେ ଲାଗି ପଡିଲେଣି। ଏପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ସେ ବାଲାସାହେବ ଠାକରେଙ୍କୁ ଦେଇଥିବା କଥା ରଖିବେ। ସେ କଥା ଦେଇଥିଲେ ଦିନେ ମହାରାଷ୍ଟ୍ରରେ ଶିବସେନା ମୁଖ୍ୟମନ୍ତ୍ରୀ ଆସନରେ ବସିବ। ଆଉ ଏବେ ସେ ତାହା ପୂରଣ କରିବେ ବୋଲି କହିଛନ୍ତି। ଉଦ୍ଧବ କହିଛନ୍ତି ଭାଜପା ସିନା ଗଙ୍ଗା ସଫେଇ କଥା କହୁଛି ହେଲେ ସେମାନଙ୍କ ମୁଣ୍ଡ ଏବେ ପ୍ରଦୂଷଣରେ ଭର୍ତ୍ତି ହୋଇ ରହିଛି। ମେଣ୍ଟ ପାଇଁ ଶିବସେନାର ଦ୍ୱାର ସବୁବେଳେ ଖୋଲା ଅଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଭୁଲ୍ ଲୋକଙ୍କ ସହ ମେଣ୍ଟ କରିଦେଲି। ଏପଟେ ଫଡନବିଶ କହିଛନ୍ତି ଉଦ୍ଧବ ତାଙ୍କର ଜଣେ ଭଲ ବନ୍ଧୁ। ଏବେବି ସେ ତାଙ୍କ ସହ କଥା ହେବାକୁ ପ୍ରସ୍ତୁତ ଅଛନ୍ତି ହେଲେ ଉଦ୍ଧବ ତାଙ୍କ ଫୋନ୍ ଉଠାଉ ନାହାଁନ୍ତି।