‘ବାଲା’ ଦେଖି ପୁଅ ଆଙ୍କିଲେ ଆୟୁଷ୍ମାନଙ୍କ ସ୍କେଚ୍‌, ତାହିରା କଲେ ଶେୟାର

ବମ୍ବେ: ଦର୍ଶକମାନଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନ୍ନା। ଏହି କ୍ରମରେ ‘ବାଲା’ ସପ୍ତମ ହିଟ୍‌ ସାବ୍ୟସ୍ତ ହୋଇଛି। ଚଳଚ୍ଚିତ୍ର ରିଲିଜ୍‌ ପୂର୍ବରୁ ସମାନ ଧରଣର କାହାଣୀକୁ ନେଇ ‘ଉଜଡା ଚମନ୍‌’ ସହ ବିବାଦ ଘେରକୁ ଆସିଥିଲା। ଏପରିକି ଏହା ‘ବାଲା’ ପୂର୍ବରୁ ରିଲିଜ ହୋଇଥିଲା। ଏଥିଯୋଗୁ ଫିଲ୍ମର ରୋଜଗାର ଉପରେ ପ୍ରଭାବ ପଡ଼ିପାରେ ଅଥବା ନିର୍ମାତାଙ୍କୁ ସମାଲୋଚିତ ହେବାକୁ ପଡ଼ିବ ବୋଲି ଅନୁମାନ କରାଯାଉଥିଲା। ହେଲେ ଏସବୁକୁ ଭୁଲ ସାବ୍ୟସ୍ତ କରିଛି ‘ବାଲା’ର ରୋଜଗାର। ମାତ୍ର ଚାରି ଦିନରେ ଫିଲ୍ମ ପଚାଶ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ଅନେକ ରେକର୍ଡ କରିବ ବୋଲି କୁହାଯାଉଛି। ଫିଲ୍ମର କାହାଣୀ ସମସ୍ତଙ୍କ ମନ କିଣୁଛି। ଏସବୁମଧ୍ୟରେ ଆୟୁଷ୍ମାନଙ୍କ ପୁଅ ବିରାଜବୀର ପେନ୍‌ସିଲରେ ଫିଲ୍ମର ପୋଷ୍ଟରରେ ଥିବା ବାପାଙ୍କ ସ୍କେଚ୍‌ ଆଙ୍କିଛନ୍ତି। ସ୍ତ୍ରୀ ତାହିରା ନିଜର ଇନ୍‌ଷ୍ଟା ଷ୍ଟୋରୀରେ ଏହାର ଏକ ଫଟୋ ଶେୟାର କରିବା ସହ ଆୟୁଷ୍ମାନ ତୁମକୁ ବମ୍ବେରେ ବେଶି ସମୟ ରହିବା ଦରକାର। ବିରାଜ୍‌ ତୁମ ପାଇଁ କିଛି ଖାସ କରିଛି ଦେଖ ବୋଲି ଲେଖିଛନ୍ତି।

ପୂର୍ବରୁ ଆୟୁଷ୍ମାନଙ୍କ ‘ଡ୍ରିମ୍‌ଗର୍ଲ, ଅନ୍ଧାଧୁନ୍‌, ବଧାଇ ହୋ, ଶୁଭ ମଙ୍ଗଲ ସାବଧାନ୍‌, ବରେଲି କି ବର୍ଫି ଆଦି ଭଲ ରୋଜଗାର କରିଥିଲା। ସେହିଭଳି ‘ବାଲା’ ପାଞ୍ଚ ଦିନରେ ୬୧.୭୩ କୋଟି ରୋଜଗାର କରିଛି। ଫିଲ୍ମଟି ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଦ୍ୱିତୀୟ ଫିଲ୍ମ। ଏଥିସହ ଏହା ସାଉଦିଆରବରେ ରିଲିଜ ହେବାକୁ ଯାଉଥିବା ଆୟୁଷ୍ମାନଙ୍କ ପ୍ରଥମ ଫିଲ୍ମ ପାଲଟିଛି।

Share