ବାଲିଅନ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଘଟଣା: ଭାଇରାଲ ଭିଡିଓରୁ ହତ୍ୟାକାରୀ ଚିହ୍ନଟ; ଜମିବାଡ଼ି ବିବାଦକୁ ନେଇ ସାନ ଭାଇଙ୍କୁ ହତ୍ୟା କରିଛନ୍ତି ବଡ଼ ଭାଇ

ଭୁବନେଶ୍ୱର/ବାଲିଅନ୍ତା,୮।୬(ବ୍ୟୁରୋ/ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଅଟଳାସ୍ଥିତ ପଞ୍ଚମୁଖୀ ବିହାର ମୁଖ୍ୟ ଫାଟକ ନିକଟରେ ଶୁକ୍ରବାର ଅପରାହ୍ନରେ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଅତି ନୃଶଂସ ଭାବେ ହାଣି ହତ୍ୟା କରିଥିଲେ। ନିକଟରେ ଥିବା ଏକ ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି। ସେ ହେଲେ ମୃତକ ପ୍ରୀତମ ରାଉତରାୟ(୪୦)ଙ୍କ ବଡ଼ ଭାଇ ମାମୁନ ରାଉତରାୟ। ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ସୁଦ୍ଧା ଜମିବାଡ଼ି ବିବାଦକୁ ନେଇ ସୃଷ୍ଟ ପାରିବାରିକ କଳହରୁ ଏହା ଘଟିଥିବା ଥାନାଧିକାରୀ ପ୍ରଦୀପ୍ତ ରାଉତ କହିଛନ୍ତି। ହତ୍ୟାକାଣ୍ଡ ପରେ ମାମୁନ ଫେରାର ହୋଇଯାଇଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ କେଉଁଆଡେ ଚାଲିଯାଇଛନ୍ତି। ସେମାନେ ରହୁଥିବା ଉକ୍ତ ଥାନା ଅଧୀନ ପଞ୍ଚମୁଖୀ ବିହାର ବ୍ଲକ-ବି, ପ୍ଲଟ୍‌ ନଂ-୫୦୪ରେ ତାଲା ଛୁଲୁଥିବା ଦେଖିବାକୁ ମିଳିଛି। ମୃତକଙ୍କ ବାପା ଜଣେ ଅବସରପ୍ରାପ୍ତ ସବରେଜିଷ୍ଟାର ଥିଲେ। ସେ ୩ ଦିନ ଧରି ବଡ଼ ଝିଅଙ୍କ ସହ ଗୁଜରାଟକୁ ବୁଲିବାକୁ ଯାଇଥିବା ଜଣାପଡ଼ିଛି। ପୋଲିସ ଫେରାର ମାମୁନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

ଅପରପକ୍ଷେ ମୃତଦେହ କ୍ୟାପିଟାଲ ହସ୍ପିଟାଲର ଶବଗୃହରେ ରଖାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପରିବାରଲୋକ ନ ଆସି ନ ଥିବାରୁ ବ୍ୟବଚ୍ଛେଦ ହୋଇପାରିନାହିଁ। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୋଲିସ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇଥିବା ବେଳେ ସେମାନେ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।

ପ୍ରକାଶ ଥାଉ କି, ଉକ୍ତ ହତ୍ୟାକାଣ୍ଡ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ମୃତକ ପ୍ରୀତମ ପ୍ରଥମେ ଏକ ଆପାର୍ଟମେଣ୍ଟ ନିକଟକୁ ଆସୁଛନ୍ତି। ସେଠାରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ନିକଟରେ ବିଡ଼ି ଲଗାଉଛନ୍ତି। କିଛି ସମୟ ପରେ ମାମୁନ ପଶ୍ଚିମବଙ୍ଗ ନମ୍ବର ପ୍ଲେଟ୍‌ ଥିବା ଏକ ଗାଡ଼ିରେ ସେଠାରେ ପହଞ୍ଚୁଛନ୍ତି। ଗାଡ଼ି ପାର୍କ କରି ଭାଇ ପ୍ରୀତମଙ୍କ ନିକଟକୁ ଯାଉଛନ୍ତି। ସେଠାରେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହେଉଛି। ଏହା ପରେ ମାମୁନ ଗାମୁଛାରେ ଲୁଚାଇ ଆଣିଥିବା ଏକ ଖଣ୍ଡାରେ ତାଙ୍କୁ ଆକ୍ରମଣ କରୁଛନ୍ତି। ଏକ ଖଣ୍ଡାରେ ଗୋଟିଏ ପରେ ଗୋଟିଏ ୧୫ଟି ଚୋଟ ପକାଇବା ଯୋଗୁ ଘଟଣାସ୍ଥଳରେ ପ୍ରୀତମଙ୍କ ମୃତ୍ୟୁ ଘଟୁଛି। ଏହି ସମୟରେ ସେଠାରେ ଲୋକେ ଉପସ୍ଥିତ ଥିଲେ ହେଁ କେହି ପ୍ରତିରୋଧ କରି ନ ଥିଲେ।

Share